ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ସବୁବେଳେ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳିଥାଏ। ପ୍ରାୟ ଏକ ମାସ ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍ସିପି) ସହ ବିଦ୍ରୋହ କରି ମହାରାଷ୍ଟ୍ର ବିଜେପି ଓ ଶିନ୍ଦେଙ୍କ ଶିବସେନା ମେଣ୍ଟରେ ସାମିଲ ହୋଇଥିଲେ ଅଜିତ ପାଓ୍ବାର। ତାଙ୍କ ସହିତ ୮ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ହୋଇଥିଲେ। ଏବେ ମହାରାଷ୍ଟ୍ର ରାଜନୈତିକ ମହୋଲରେ ଆଉ ଏକ କଥାର ଚର୍ଚ୍ଚା ଚାଲିଛି, ତାହା ହେଲା ଖୁବ୍ ଶୀଘ୍ର ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ଜୟନ୍ତ ପାଟିଲ ମଧ୍ୟ ଅଜିତ୍ ପାଓ୍ବାରଙ୍କ କ୍ୟାମ୍ପରେ ସାମିଲ ହୋଇପାରନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଜିତ ପାଓ୍ବାର ଓ ଦେବେନ୍ଦ୍ର ଫଡନାଭିସ୍ଙ୍କ ସହିତ ଜୟନ୍ତ ପାଟିଲ ଏହି ବିଷୟରେ ବହୁ ବୈଠକ କରିଛନ୍ତି। ତେବେ ବର୍ତ୍ତମାନ ସେ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରିବେନି ବୋଲି ପାଟିଲ କହିଛନ୍ତି ।
ଅଜିତ ପାଓ୍ବାର ବିଦ୍ରୋହ ପରେ ଏନ୍ସିପିର ନାଁ ସହିତ ନିର୍ବାଚନ ଚିହ୍ନକୁ ନିଜର କରିବାକୁ ଦାବି କରିଥିଲେ। ବିଧାୟକ ଦଳ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ପାଇଁ ବିଧାୟକ ଦଳର ନେତାଙ୍କ ପଦ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଜୟନ୍ତ ପାଟିଲ ପୂର୍ବରୁ ହିଁ ରାହୁଲ ନାର୍ଭେକରଙ୍କୁ ଚିଠି ଲେଖି ଅଜିତ ପାଓ୍ବାର ଓ ୮ ଅନ୍ୟ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଦାବି କରି ସାରିଛନ୍ତି।
ଅଯୋଗ୍ୟ ଘୋଷିତ ହେବାର ବିପଦକୁ ଦେଖି ଏନସିପିର ଅଧିକାଂଶ ବିଧାୟକ ଏନସିପିର କୌଣସି ଗୋଷ୍ଠୀ ପ୍ରତି ସଚ୍ଚୋଟତା ପ୍ରଦର୍ଶନ କରୁଥିବାର ନଜର ଖସୁଛନ୍ତି। ସେମାନେ ପୁରା ମୌସୁମୀ ଅଧିବେଶନ ବେଳେ ଗୃହରେ ଉପସ୍ଥିତ ନହେବାର ନିଷ୍ପତ୍ତି ନେଇଥିଲେ। ଶାସକ ସରକାରରେ ପାଟିଲଙ୍କୁ ସାମିଲ କରିବା ଖୁବ୍ ଗୁରୁତ୍ବପୂର୍ଣ୍ଣ। କାରଣ ଅଧିକାଂଶ ଏନସିପି ବିଧାୟକଙ୍କ ସମର୍ଥନ ଅଜିତ ପାଓ୍ବାରଙ୍କୁ ମିଳିଛି, ପାର୍ଟି ଉପରେ ଦାବି କରିବା ପାଇଁ ଏହା ମଧ୍ୟ ଗୁରୁତ୍ବପୂର୍ଣ୍ଣ।





