ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୋଦୀ ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ମାମଲାରେ ସର୍ବୋଚ୍ଚ ନୟାଳୟ ରୋକ ଲଗାଇଥିବା ବେଳେ ତାଙ୍କ ସାଂସଦ ପଦ ଫେରସ୍ତ ହେଉନଥିବାରୁ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶିବସେନା (ଉଦ୍ଧବ ଗୋଷ୍ଠି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ।
ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ମୋଦି ସରକାର ଭୟ କରୁଛନ୍ତି। ସୁରତ କୋର୍ଟଙ୍କ ରାୟ ପରେ ବାଚସ୍ପତି ତାଙ୍କୁ ତୁରନ୍ତ ନିଲମ୍ବିତ କରିବା ସହ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ସୁପ୍ରିମକୋର୍ଟ ଏବେ ଏହି ନିଷ୍ପତ୍ତି ଉପରେ ରୋକ୍ ଲଗାଇ ଥିବାବେଳେ ଆଜି ଏହି ନିଷ୍ପତ୍ତିକୁ ୩ ଦିନ ବିତିସାରିଛି | ହେଲେ ଏବେ ବାଚସ୍ପତି କହୁଛନ୍ତି ତାଙ୍କୁ ଅଧ୍ୟୟନ କରିବାକୁ ପଡ଼ିବ। ରାହୁଲଙ୍କ ସଦସ୍ୟତା ହଟାଇବା ପୂର୍ବରୁ ଆପଣ ଅଧ୍ୟୟନ କରିଥିଲେ କି? ଏବେ ଆପଣ କଣ ଅଧ୍ୟୟନ କରିବେ ? ଆପଣଙ୍କୁ ସେହି ବିଷୟରେ ପିଏଚଡି କରିବାକୁ ପଡିବ କି? ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି |
ଏହା ପୂର୍ବରୁ ସଞ୍ଜୟ ରାଉତ ଗତ ଶୁକ୍ରବାର କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ପରେ ଲୋକସଭା ବାଚସ୍ପତି ରାହୁଲଙ୍କ ସାଂସଦ ପଦ ପାଇଁ ଅଯୋଗ୍ୟତା ରଦ୍ଦ କରିବା ଉଚିତ। ଗତ ଦୁଇ ବର୍ଷ ଧରି ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ରାହୁଲ ଗାନ୍ଧି ଯେଉଁ ଭଳି ଆକ୍ରମଣ କରି ଆସୁଥିଲେ, ସେଥିପାଇଁ ତାଙ୍କୁ ସଂସଦରୁ ବହିଷ୍କାର କରିବା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ବୋଲି ସଞ୍ଜୟ କହିଥିଲେ।





