ମଣିପୁର ହିଂସା: ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା କୁକି ପିପୁଲ୍ସ ଆଲାଏନ୍ସ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଦୀର୍ଘ ତିନି ମାସ ଧରି ହିଂସା ଜାରି ରହିଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଏବେ ହିଂସାର ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ବିରେନ ସିଂ ନେତୃତ୍ବାଧୀନ ଶାସକ ମେଣ୍ଟରେ ସହଯୋଗୀ ଥିବା କୁକି ପିପୁଲ୍ସ ଆଲିଆନ୍ସ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛି । ମଣିପୁରରେ ଏବେ ବିରେନ ସିଂଙ୍କ ନେତୃତ୍ବରେ ଏନଡିଏ ସରକାର ଶାସନରେ ରହିଛି । ଦୁଇ ବିଧାୟକ ଥିବା ଏହି କୁକି ପିପୁଲ୍ସ ଆଲିଆନ୍ସ ଏନଡିଏ ମେଣ୍ଟ ସହଯୋଗୀ ରହିଥିଲା ।

ରବିବାର କୁକି ପିପୁଲ୍ସ ଆଲିଆନ୍ସ ପକ୍ଷରୁ ରାଜ୍ୟପାଳ ଅନସୂୟା ୟୁକେଙ୍କୁ ପତ୍ର ଲେଖି ସରକାରୀ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି । ଦଳ କହିଛି,”ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା ହିଂସା ସ୍ଥିତିକୁ ସମୀକ୍ଷା କରିବା ପରେ ବିରେନ ସିଂଙ୍କ ନେତୃତ୍ବରେ ଜାରି ରହିଥିବା ସରକାର ପ୍ରତି ସମର୍ଥନ ବଜାୟ ରଖିବା ନିଷ୍ଫଳ ଅନୁଭବ ହେଉଛି । ତେଣୁ ସରକାରୀ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।”

୬୦ ଆସନ ବିଶିଷ୍ଟ ମଣିପୁରରେ ବିଜେପିର ସର୍ବାଧିକ ୩୨ ବିଧାୟକ ରହିଛନ୍ତି । ଏହାସହ ବିଜେପି ନେତୃତ୍ବାଧୀନ ମେଣ୍ଟ ଏନଡିଏ ନିକଟରେ ୫ ଜଣ NPF ବଧାୟକ ଓ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି । ତେବେ ଏହି ସରକାରୀ ମେଣ୍ଟରେ ସଦସ୍ୟ ଥିବା କୁକି ପିପୁଲ୍ସ ଆଲିଆନ୍ସର ଦୁଇ ବିଧାୟକ ଥିଲେ । ହେଲେ ଏହି ସମର୍ଥନ ପ୍ରତ୍ୟାହାର ବିରେନ ସିଂ ସରକାରର ସ୍ଥିରତା ଉପରେ କୌଣସି ପ୍ରଭାବ ପକାଇ ପାରିବନାହିଁ । ପ୍ରବଳ ହିଂସାରେ ମଣିପୁରରେ ବିରେନ ସିଂଙ୍କ ଶାସନ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ସେ ଇସ୍ତଫା ଦେବା ପାଇଁ ରାଜଭବନ ଅଭିମୁଖେ ମଧ୍ୟ ବାହାରିଥିଲେ । ହେଲେ ସମର୍ଥକଙ୍କ ନାରାବାଜୀ ମଧ୍ୟରେ ସେ ଇସ୍ତଫା ନଦେଇ ଫେରିଆସିଥିଲେ । ବିରୋଧୀ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ହିଂସା ନିୟନ୍ତ୍ରଣରେ ଅପରାଗତା ପାଇଁ ବିରେନ ସିଂଙ୍କ ଇସ୍ତଫା ମଧ୍ୟ ଦାବି କରୁଛନ୍ତି ।

ଗତ ମେ’ ୩ ତାରିଖରୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଏବେ ମଧ୍ୟ ଜାରି ରହିଛି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଏବେ ବି ହିଂସା ନିୟନ୍ତ୍ରଣକୁ ଆସିପାରିନାହିଁ । ନିକଟରେ ଏକ ଅସ୍ତ୍ରାଗାରକୁ ଅନେକ ଅସ୍ତ୍ରଶସ୍ତ୍ର ଲୁଟ କରିନେଇଛନ୍ତି ଉଗ୍ରବାଦୀ । ଏପର୍ଯ୍ୟନ୍ତ ୧୬୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାମାନଙ୍କ ଉପରେ ଅତ୍ୟାଚାରର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ଏବେ ବି ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସାର ଖବର ଆସିବାର ଲାଗିଛି । ସେପଟେ ଏହି ହିଂସା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ।

Related Posts