ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ମଞ୍ଜୁର କରିଛନ୍ତି।ଏହି ଅନୁମୋଦନ ଦ୍ବାରା ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ ଲକ୍ଷ ୬୧ ହଜାରରୁ ୩୨ଲକ୍ଷ ୭୫ ହଜାରକୁ ବୃଦ୍ଧି ପାଇଛି। ଏଥିରେ ନୂତନ ଭାବେ ଯୋଡି ହୋଇଥିବା ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ ଅଗଷ୍ଟ ୧୫ ତାରିଖ ଜନସେବା ଦିବସରେ ପାଇବେ।

ଗ୍ରାମପଞ୍ଚାୟତ ହେଡକ୍ୱାର୍ଟର ଓ ଓ୍ବାର୍ଡ କାର‌୍ୟ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ସେମାନଙ୍କ ପେନସନ୍ ପ୍ରଦାନ କରାଯିବ। କ୍ୟାମ୍ପ କରି ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। ୭୯ ବର୍ଷ କିମ୍ବା ତାଠାରୁ କମ୍ ବୟସ ହିତାଧିକାରୀଙ୍କୁ ମାସିକ ୫ ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ ଶହ ଟଙ୍କା ପେନସନ ଦିଆଯାଉଛି। ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ ଶହ, ୬୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି । ୪ ଲକ୍ଷ ୧୩ ହଜାର ଅତିରିକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଦ୍ବାରା ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ଆଶା କରାଯାଉଛି।

Related Posts