ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଓ ପୋଲିସଙ୍କ ଉପରେ ଗ୍ରାମବାସୀ ଆକ୍ରମଣ କରିବା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ । କଂଗ୍ରେସ ସାମ୍ବାଦିକ କରି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି କହିଛି । ଏହି ଘଟଣାରେ ନିରୀହ, ଆଦିବାସୀ, ଦଳିତଙ୍କ ଉପରେ ପୋଲିସ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ଆଣିବା ସହ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
ଏନେଇ କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, “ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ଯାଇଛି । ସରକାର ଅଛି ବୋଲି ଜଣାପଡ଼ୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ପିଏସଓ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଧରି ବିଭିନ୍ନ କାର୍ଯ୍ୟ କରାଉଛନ୍ତି । ଚିନ୍ତା କରିବାର କଥା କି ମୁଖ୍ୟମନ୍ତ୍ରୀ ଏବେ କେଉଁଭଳି ଅବସ୍ଥାରେ ଅଛନ୍ତି । ସେଥିପାଇଁ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି । ଫିରିଙ୍ଗିଆ ଘଟଣା ପୂର୍ବରୁ ପୋଲିସ ବିଭାଗର ଇଣ୍ଟଲିଜେନ୍ସି କଣ କରୁଥିଲା ? କାହିଁକି ତାଙ୍କ ପାଖରେ ଖବର ନଥିଲା ? ଏବେ କଲ୍ୟାଣସିଂପୁରାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ଏହାର ଅର୍ଥ ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର ହେଉଛି ।”
ସେ ଆହୁରି କହିଛନ୍ତି, “ରାଜ୍ୟ ସରକାର ଏଭଳି ଘଟଣାକୁ ଗୁରୁତର ସହ ନିଅନ୍ତୁ । ରାଜ୍ୟରେ ଗଣତନ୍ତ୍ରକୁ ରକ୍ଷା କରନ୍ତୁ । ନହେଲେ ଏଭଳି ସମୟ ଆସିବ ରାସ୍ତା ଉପରେ ମନ୍ତ୍ରୀ ଏବଂ 5T ସଚିବଙ୍କୁ ଅବହେଳିତ ଜନତା ଆକ୍ରମଣ କରିବେ । ଏବେ ସୂଚନା ମିଳୁଛି ଫିରିଙ୍ଗିଆରେ ସାଧାରଣ ନିରୀହ ଜନତାଙ୍କ ଉପରେ ଆକ୍ରମଣ କରୁଛି ପୋଲିସ । ଆମେ ତାକୁ ଦୃଢ ନିନ୍ଦା କରୁଛୁ ।” ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ନାମରେ ପୋଲିସ ଆତଙ୍କରାଜ ସୃଷ୍ଟି କରିଥିବା କହିଛି କଂଗ୍ରେସ । କଲ୍ୟାଣସିଂପୁରର ଡଙ୍ଗରିଆ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ନିନ୍ଦା କରାଯାଇଛି।





