ଲୋକସଭାରେ ଆରମ୍ଭ ହେଲା ଅନାସ୍ଥା ବିତର୍କ: ପ୍ରସ୍ତାବ ଉପସ୍ଥାପିତ କରି ଗୌରବ ଗୋଗେଇ କହିଲେ, ‘ଅନାସ୍ଥା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦୀ ସରକାର ବିରୋଧରେ ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଆରମ୍ଭ ହୋଇଛି ଆଲୋଚନା | ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗେଇ । ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧିଙ୍କ ପୂର୍ବରୁ ଗୋଗେଇଙ୍କ ବିବୃତ୍ତିକୁ ନେଇ ପ୍ରଶ୍ନ କରିଛି ବିଜେପି ।

ତେବେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପିତ କରିବା ସହ ଗୌରବ ଗୋଗେଇ ୩ଟି ମୁଖ୍ୟ ପ୍ରଶ୍ନ ମଧ୍ୟ ରଖିଛନ୍ତି । ଗୃହରେ ଗୌରବ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ । ଏହାସହ ଗୋଗେଇ କହିଛନ୍ତି, ମଣିପୁରକୁ କାହିଁକି ଯାଉନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ? ମଣିପୁର ଉପରେ କହିବାକୁ ମୋଦୀଙ୍କୁ ୮୦ ଦିନ କାହିଁକି ଲାଗିଲା? ଆଉ ତାହା ବି ପୁଣି ମାତ୍ର ୩୦ ସେକେଣ୍ଡର ମନ୍ତବ୍ୟ । ପ୍ରଧାନମନ୍ତ୍ରୀଙ୍କ ବୟାନରେ ଯେଉଁ ଶକ୍ତି ଅଛି ତାହା କୌଣସି ସାଂସଦ କିମ୍ବା ମନ୍ତ୍ରୀଙ୍କ ବୟାନରେ ନଥାଏ । ତେଣୁ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଆବଶ୍ୟକ? ପ୍ରଧାନମନ୍ତ୍ରୀ ଏବେ ପର୍ଯ୍ୟନ୍ତ କାହିଁକି ମଣିପୁରର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ନାହାନ୍ତି? ଗୁଜୁରାଟ,ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବଦଳାଇ ଯାଇ ପାରୁଛି କିନ୍ତୁ ମଣିପୁରରେ ଏପର୍ଯ୍ୟନ୍ତ କାହିଁକି ବଦଳାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହିତ ମଣିପୁରର ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ | ବିଜେପିର ଡବଲ ଇଞ୍ଜିନ ସରକାର ମଣିପୁରରେ ବିଫଳ ହୋଇଛି | ବିଜେପିର ରାଜନୀତି ପାଇଁ ଆଜି ମଣିପୁର ଦୁଇଫାଳ | ମଣିପୁରରେ ଆଜି ବି ଇଣ୍ଟରନେଟ ନାହିଁ, ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି | ଯଦି ଦୁଇ ମହିଳାଙ୍କ ଭିଡ଼ିଓ ଭାଇରାଲ ହୋଇନଥାନ୍ତା ତାହେଲେ ପ୍ରଧାନମନ୍ତ୍ରୀ ଏବେ ବି ଚୁପ୍ ରହିଥାନ୍ତେ ବୋଲି ଗୋଗୋଇ କହିଛନ୍ତି |

ତେବେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିବାବେଳେ ଏହି ବିତର୍କରେ ଭାଗନେଇ 10 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିବେ |

Related Posts