ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସମନ ଜାରି କରାଯାଇଛି। ତାଙ୍କୁ ପଚରାଉଚରା ପାଇଁ ଅଗଷ୍ଟ ୧୪ରେ ହଜାର ହେବାକୁ କୁହାଯାଇଛି। ଏହି ମନି ଲଣ୍ଡରିଂ ମାମଲା ବେଆଇନ ଜମି କିଣାବିକା ସହ ଜଡିତ, ଯେଉଁଥିରେ ପାଖାପାଖି ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ହେମନ୍ତଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରଙ୍କୁ ଇଡି ଗିରଫ କରିସାରିଛି।

ପୂର୍ବରୁ ୨୦୨୨ ନଭେମ୍ବର ୧୮ତାରିଖରେ ମଧ୍ୟ ତାଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଡକାଯାଇ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଥିଲା ଇଡି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଛବି ରଞ୍ଜନ, କୋଲକାତାର ବ୍ୟବସାୟୀ ଅମିତ ଅଗ୍ରୱାଲ, ନ୍ୟୁକ୍ଲିୟସ ମଲ୍ ମାଲିକ ତଥା ବ୍ୟବସାୟୀ ବିଷ୍ଣୁ ଅଗ୍ରୱାଲ ରହିଛନ୍ତି।

ସୂଚନା ଅନୁସାରେ, ରାଞ୍ଚିରେ ସେନା ଦଖଲରେ ଥିବା ଜମି ସମ୍ପର୍କରେ ଟିକସ କମିଶନର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ନକଲି ନାମ ଓ ଠିକଣା ଆଧାରରେ ବେଆଇନ ଭାବେ ସେନା ଜମି ଦଖଲ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଥିଲା । ଏନେଇ ରାଞ୍ଚି ମହାନଗର ନିଗମ ପକ୍ଷରୁ ଅଭିଯୋଗ କରାଯାଇଥିଲା। ନଭେମ୍ବର ୨୦୨୨ରେ ବ୍ୟବସାୟୀ ବିଷ୍ଣୁ ଅଗ୍ରୱାଲ, ଅମିତ ଅଗ୍ରୱାଲଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା, ଯେଉଁଥିରେ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଥିଲା। ୨୦୨୨ ଜୁଲାଇ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ଘରେ ଚଢ଼ାଉ କରାଯାଇଥିଲା। ଏଥିରେ ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଏକ ଚେକ୍ ବୁକ୍ ପାଇଥିଲା। ଏହାପରେ ହେମନ୍ତଙ୍କ ନାଁ ଏହି ମାମଲା ସହ ଯୋଡ଼ି ହୋଇଥିଲା।

Related Posts