‘ମଣିପୁରରେ ହିନ୍ଦୁସ୍ତାନକୁ ହତ୍ୟା କରିଛି ବିଜେପି’: ଅନାସ୍ଥା ଆଲୋଚନାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ସଂସଦରେ ଅନାସ୍ଥା ଆଲୋଚନାରେ ବକ୍ତବ୍ୟ ରଖିଛନ୍ତି ରାହୁଲ ଗାନ୍ଧୀ। ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ କରିଥିଲେ ରାହୁଲ। ସେ କହିଛନ୍ତି ଯେ, “ମୁଁ ସମୁଦ୍ର ତଟରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା କରିଛି। ଯାତ୍ରା ସମୟରେ ସବୁଦିନ ସକାଳ 6ରୁ ରାତି 7/8 ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ସହ ଭେଟିଛି, ଆଉ ସେମାନଙ୍କ ଅଭିଯୋଗ ଶୁଣିଛି। ବୃଦ୍ଧରୁ ଯୁବକ ପର୍ଯ୍ୟନ୍ତ ସମସ୍ତେ ଆସି ମୋତେ ସମର୍ଥନ ଜଣାଇଛନ୍ତି। ଏହି ଯାତ୍ରା ପ୍ରକ୍ରିୟା ଏହିପରି ଜାରି ରହିବ।”

ସେ ଆହୁରି କହିଛନ୍ତି ଯେ, ଯାତ୍ରା ଆରମ୍ଭରେ ମୁଁ ଜାଣିନଥିଲି କାହିଁକି ଏ ଯାତ୍ରା ଆରମ୍ଭ କରିଛି। ଭାରତ ଯୋଡ ଯାତ୍ରା ଆରମ୍ଭ ସମୟରେ ମୋ ମନରେ ଅହଙ୍କାର ଥିଲା। ଧୀରେ ଧୀରେ କଷ୍ଟ ପାଇଲି, ଅହଙ୍କାରକୁ କ୍ରମେ ଡରାଇବାକୁ ଲାଗିଲି। ଏହି ସମୟରେ ସାଧାରଣ ଜନତାଙ୍କ ଅନେକ ଅଭିଯୋଗ ଶୁଣିଲି ଆଉ ସମର୍ଥନ ବି ପାଇଲି। ଚାଷୀଙ୍କୁ ଫସଲ ବିମା ଦିଆଯାଉନଥିବା ଯାତ୍ରା ସମୟରେ ଜାଣିବାକୁ ପାଇଲି।

ସେପଟେ ପିତ୍ରାଧାନମନ୍ତ୍ରୀ ମୋଦୀଙ୍କୁ ରାବଣ ସଙ୍ଗେ ତୁଳନା କରି ରାହୁଲ୍‌ କହିଛନ୍ତି, ସେ ରାବଣ ପରି ଅହଙ୍କାରୀ। ରାବଣଙ୍କ ଅହଙ୍କାର ଯୋଗୁଁ ହିଁ ପ୍ରଭୁ ହନୁମାନ ଲଙ୍କା ପୋଡ଼ିଥିଲେ। ରାବଣ ରାମଙ୍କଦ୍ବାରା ନୁହେଁ ନିଜ ଅହଙ୍କାରଦ୍ବାରା ନିହତ ହୋଇଥିଲେ।

ଏହାପରେ ମଣିପୁର ହିଂସା ବାବଦରେ ମନ୍ତବ୍ୟ ରଖି ରାହୁଲ ଗାନ୍ଧୀ କହିଛନ୍ତି ଯେ, ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରାଯାଇଛି। ବିଜେପି ପୂରା ହିନ୍ତୁସ୍ତାନକୁ ମଣିପୁରରେ ହତ୍ୟା କରିଛି। ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଗଲେ ନାହିଁ। ମୋତେ ଦୁଃଖ ବଖାଣିବା ସମୟରେ ବେହୋସ୍ ହୋଇ ଯାଇଥିଲେ ମଣିପୁର ବାସିନ୍ଦା। କିଛି କହିବା ପୂର୍ବରୁ ସେମାନେ କାନ୍ଦି କାନ୍ଦି ବେହୋସ୍ ହୋଇ ଯାଉଥିଲେ। ମଣିପୁର ଆଉ ମଣିପୁର ହୋଇ ନାହିଁ, ତାକୁ ଭାଗ ଭାଗ କରି ଦିଆଯାଇଛି। ଦୁଇଟି ଭାଗରେ ମଣିପୁରକୁ ବିଭାଜିତ କରାଯାଇଛି | ବିଜେପି ମଣିପୁରରେ ହିନ୍ଦୁସ୍ତାନକୁ ହତ୍ୟା କରିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ରାହୁଲଙ୍କ ଏହି ବୟାନ ପରେ ପାର୍ଲାମେଣ୍ଟରେ ହଙ୍ଗାମା ହୋଇଥିଲା । ସେହିପରି କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି, ମଣିପୁରରେ ୭ ଦଶକ ଧରି ଯାହା ହୋଇ ଆସୁଥିଲା ସେଥିପାଇଁ କବେଳ କଂଗ୍ରେସ ଦାୟୀ । ଏଭଳି ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କୁ ଭୁଲ ମାଗିବା ଦରକାର ବୋଲି ସେ କହିଛନ୍ତି।

Related Posts