ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ ଦାସ, ନିଯୁକ୍ତ କଲା ନିଜ ଓକିଲ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ ଦାସ ।ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା । ସେହିପରି ଏଥର ନିଜସ୍ୱ ଓକିଲ ନିଯୁକ୍ତ କରିଛି ଗୋପାଳ । ମହେଶ ଜେନାଙ୍କୁ ଓକିଲ ନିଯୁକ୍ତ କରିଛି ଗୋପାଳ । ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କୁ ନିଯୁକ୍ତ କରିଥିଲେ କୋର୍ଟ ।

ସେପଟେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ଫ୍ରେମ କରାଯିବ । ଗତ ଜୁଲାଇ ୨୬ ତାରିଖରେ ଗୋପାଳ ନାଁରେ କ୍ରାଇମବ୍ରାଞ୍ଚ କରିଥିବା ଅଭିଯୋଗ ପତ୍ର ଦାଖଲ ସମୟରେ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା । ସେହିଦିନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ମାମଲାର ଶୁଣାଣୀ କରିବେ ବୋଲି ସେସନ୍ସ ଜଜ୍‌ ନିର୍ଦ୍ଦେଶ ଦେବାପରେ ଗୋପାଳ ନାଁରେ ଚାର୍ଜଫ୍ରେମ କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଥିଲେ । ସେଥିପାଇଁ କଡ଼ା ସୁରକ୍ଷା ବଳୟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ସକାଳୁ ଚୌଦ୍ୱାର ଜେଲ୍‌ରୁ ଝାରସୁଗୁଡା ଅଣାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ। ନବଦାସଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା। ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ମେ ୨୬ ତାରିଖରେ କ୍ରାଇମବ୍ରାଞ୍ଚ ଦାଖଲ କରିସାରିଛି ।

ଗତ ଜୁଲାଇ ୧୩ ତାରିଖରେ ଗୋପାଳ କୁ ଜେଏମଏଫସି କୋର୍ଟରେ ପ୍ରଥମ ଥର ପାଇଁ ହାଜର କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଗୋପାଳ କୁ ଚୌଦ୍ୱାର ଜେଲ ରେ ରଖାଯାଇ ଥିବା ବେଳେ ଆଜି ତୃତୀୟ ଥର ପାଇଁ କୋର୍ଟ ରେ ହାଜିରା ଦେବାକୁ ଅଣାଯାଇଛି । ଗୋପାଳ ନାଁ ରେ ଆଜି ଚାର୍ଜଫ୍ରେମ ହେବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣୀ ଆରମ୍ଭ ହେବ।

Related Posts