ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଲୋକସଭାରେ କାଟ ଖାଇଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥବା ଭାଷଣ ଶେଷ ହେବା ପରେ ଅନାସ୍ଥା ପ୍ରସ୍ତାବଟି ବାଚନିକ ଭୋଟରେ କାଟ ଖାଇଯାଇଥିଲା । ତେବେ ବାଚନିକ ଭୋଟ ପର୍ବରୁ ହିଁ ବିରୋଧୀ କକ୍ଷତ୍ୟାଗ କରିସାରିଥିଲେ । ଏହା ସହିତ ସଂସଦ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ହୋଇଯାଇଛି ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, “୨୦୧୮ରେ ମୁଁ ବିରୋଧୀଙ୍କୁ ୨୦୨୩ରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଦାୟିତ୍ୱ ଦେଇଥିଲି ଏବଂ ସେମାନେ ମୋ କଥା ପାଳନ କରିଥିଲେ। କିନ୍ତୁ ମୁଁ ଦୁଃଖିତ ଯେ ୫ ବର୍ଷରେ ସେମାନେ ଭଲ ପ୍ରଦର୍ଶନ କରିବା କଥା, କିନ୍ତୁ କୌଣସି ପ୍ରସ୍ତୁତି ନଥିଲା, ସୃଜନଶୀଳତା ନଥିଲା । ମୁଁ ଆପଣଙ୍କୁ ୨୦୨୮ ପାଇଁ ଆଉ ଏକ ସୁଯୋଗ ଦେବି, କିନ୍ତୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ଯେତେବେଳେ ସେମାନେ ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବେ ସେତେବେଳେ ପ୍ରସ୍ତୁତ ହୋଇ ଆସନ୍ତୁ ।“
ସେହିପରି ମଣିପୁର ପ୍ରସଙ୍ଗରେ ମୋଦି କହିଛନ୍ତି ଯେ, ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ଦୋଷୀଙ୍କୁ ମିଳିବ କଡା ଦଣ୍ଡ | ଦେଶ ମଣିପୁରବାସୀ, ଭଉଣୀ ଓ ଝିଅମାନଙ୍କ ସହିତ ରହିଛି। ମୁଁ ମଣିପୁର ଲୋକଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି ଯେ ସେଠାରେ ଖୁବଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ । ମଣିପୁର ପୁଣି ଥରେ ବିକାଶ ପଥରେ ଆଗକୁ ବଢିବ ବୋଲି ମୋଦୀ କହିଛନ୍ତି ।ଇନ୍ଦିରା ଗାନ୍ଧିଙ୍କ ସମୟରେ ମିଜୋରାମରେ ବାୟୁସେନା ମାଧ୍ୟମରେ ସାଧାରଣ ଲୋକମାନଙ୍କ ଉପରେ ବୋମା ମାଡ଼ କରାଯାଇଥିଲା । ମିଜୋରାମ ଲୋକ କଣ ଭାରତୀୟ ନଥିଲେ ? ସେଠାକାର ଲୋକ ଆଜି ମଧ୍ୟ ମାର୍ଚ୍ଚ ୫କୁ ଶୋକ ଦିବସ ପାଳନ କରୁଛନ୍ତି । ୧୯୬୨ ଭାରତ-ଚୀନ ଯୁଦ୍ଧ ବେଳେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆସାମବାସୀଙ୍କୁ ତାଙ୍କ ଅବସ୍ଥା ଭୋଗିବାକୁ ଛାଡ଼ିଦେଇଥିଲେ ।
ଉତ୍ତର-ପୂର୍ବ ରାଜ୍ୟମାନଙ୍କ ପ୍ରତି କଂଗ୍ରେସ ସବୁବେଳେ ଅବହେଳା କରିଆସିଛି । କିନ୍ତୁ ତାଙ୍କ ସରକାରଙ୍କ ଅମଳରେ ସବୁବେଳେ ଉତ୍ତର-ପୂର୍ବ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦକ୍ଷିଣ-ପୂର୍ବ ଏସିଆ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି । ଏଣୁ ଆଗାମୀ ଦିନରେ ଏହି ଅଂଚଳ ବିକାଶ କେନ୍ଦ୍ର ହେବ ।
ଉତ୍ତର-ପୂର୍ବାଞ୍ଚଳରେ ଆଜି ଯେଉଁ ଅସନ୍ତୋଷ ଦେଖାଯାଉଛି ତାହାର ଜନନୀ ହେଉଛି କଂଗ୍ରେସ । ମଣିପୁରର ସମସ୍ୟାକୁ ଆଜିର ସମସ୍ୟା ବୋଲି ଦେଖାଯାଉଛି । ଦିନ ଥିଲା ମଣିପୁରର ସବୁ ସମସ୍ୟା ଉଗ୍ରବାଦୀଙ୍କ ଅନୁସାରେ ଚାଲୁଥିଲା । ସେତେବେଳେ ମଣିପୁରରେ କଂଗ୍ରେସର ଶାସନ ଥିଲା ବୋଲି ମୋଦି କହିଛନ୍ତି।





