ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଶ୍ବସ୍ତି, ପତ୍ନୀହତ୍ୟା ମାମଲାରେ ଜାମିନ ମଞ୍ଜୁର କଲେ ହାଇକୋର୍ଟ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଆଶ୍ବସ୍ତି । ରାମମୂର୍ତ୍ତିଙ୍କ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ । ଏହାକୁ ଚାଲେଞ୍ଜ କରି ଅପିଲରେ ହାଇକୋର୍ଟ ଆସିଥିଲେ ରାମମୂର୍ତ୍ତି ଗମାଙ୍ଗ ।

୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ୱରରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ଗମାଙ୍ଗଙ୍କ ନାମରେ ଆସିଥିଲା ।ଗତ ଜୁନ୍ ୨୪ରେ ଏହି ମାମଲାରେ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଜୁନ୍ ୨୭ରେ ତାଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ ।

ସୂଚନାଯୋଗ୍ୟ ଯେ, ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ବର ଏମ୍‌ଏଲ୍‌ଏ କଲୋନୀରେ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିଲେ ରାମମୂର୍ତ୍ତୀ । ବାସଭବନ ଡିଏସ୍୧୮/୧ରୁ ତାଙ୍କ ପତ୍ନୀଙ୍କର ମୃତଦେହ ମିଳିଥିଲା । ପତ୍ନୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ରାମମୂର୍ତ୍ତି ଜାଳି ଦେଇଥିବା ଅଭିଯୋଗ ହୋଇଥିଲା ।

୨୬୮/୧୩ ରେ ୧୯୯୫ ମସିହାରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ବିଧାୟକଙ୍କ ବିରୋଧରେ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ୪ଟି ପ୍ରମାଣ ଦସ୍ତାବିଜ୍ କୋର୍ଟରେ ଉପସ୍ଥାପିତ କରାଯାଇଥିଲା । ସରକାରଙ୍କ ପକ୍ଷରୁ ରଶ୍ମୀରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ । ପୂର୍ବତନ ବିଧାୟକଙ୍କୁ ଦୋଷୀ କରିଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ।

ଉଲ୍ଲେଖଯୋଗ୍ୟ ଯେ, ରାମମୂର୍ତ୍ତି ଗମାଙ୍ଗ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ପ୍ରଥମେ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୦ ମସିହାରେ ପୁଣି ଥରେ ବିଜେପି ଟିକେଟରେ ନିର୍ବାଚନ ଲଢି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ ।

Related Posts