ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବିହାରରୁ ସଂପୂର୍ଣ୍ଣ ଭାବେ ମୂଳପୋଛ ହୋଇଯିବ ବିଜେପି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଏଭଳି ହେବ ବୋଲି ଦମ୍ଭୋକ୍ତି କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ଗଠନ କରିବା ପରେ ବିଜେପ ଆତଙ୍କିତ ହୋଇପଡ଼ିଛି। ବିରୋଧୀଙ୍କ ଏକତା ବିଜେପିର ସମସ୍ୟା ବଢ଼ାଇଛି।
ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ହାରିବ କି? ଏଭଳି ଏକ ପ୍ରଶ୍ନର ଉତ୍ତରରେ ନୀତୀଶ କୁମାର କହିଥିଲେ ସଂପୂର୍ଣ୍ଣ ଭାବେ ଓ ନିଶ୍ଚିତ। ଦେଶର ଭଲ ପାଇଁ ଆମେ ସମସ୍ତେ ହାତ ମିଳାଇଛୁ। ସେମାନେ(ବିଜେପି) ଜାଣି ନାହାନ୍ତି ଯେ କିଛି ଦଳ ଭୟରେ ଏବେ ସେମାନଙ୍କ ସହ ରହିଛନ୍ତି। ମୁଁ ସେହି ଦଳଗୁଡ଼ିକର ନାଁ ନେବି ନାହିଁ। କିନ୍ତୁ ଏହି ଦଳଗୁଡ଼ିବ ନିର୍ବାଚନ ଘୋଷଣା ହେବା ମାତ୍ରେ ଆମ ପାଖକୁ ଆସିବେ। ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀ ସେମାନଙ୍କ କାମ କରିଛନ୍ତି। ଆଗକୁ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ନୀତୀଶ କହିଛନ୍ତି।
ଅନାସ୍ଥା ପ୍ରସ୍ତାବ ବିତର୍କର ପ୍ରଥମ ଦୁଇ ଦିନ ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ଆସିନଥିବାରୁ ନୀତୀଶ ଏହାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗୃହ ଚାଲିଛି। କିନ୍ତୁ ଲୋକମାନେ ଏଣେ ତେଣେ ବୁଲିବାରେ ବ୍ୟସ୍ତ। ଅଟଳ ବିହାରୀ ବାଜେପୟୀ ଯେତେବେଳେ କ୍ଷମତାରେ ଥିଲେ ଓ ମୁଁ ତାଙ୍କର ଜଣେ ମନ୍ତ୍ରୀ ଥିଲି। ସେତେବେଳେ ଆମେ ଗୃହରେ ଉପସ୍ଥିତ ରହିବା ଉପରେ ଫୋକସ କରୁଥିଲୁ। ବିଜେପି କେବଳ ପ୍ରଚାର ଓ ବିଜ୍ଞାପନରେ ଫୋକସ କରେ। କ’ଣ ଆପଣ କିଛି ବିକାଶମୂଳକ କାର୍ଯ୍ୟକ୍ରମ ଦେଖୁଛନ୍ତି କି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେଉଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ସମାଲୋଚନା କରିଥିଲେ। ଏଥିସହ ୨୦୨୪ରେ ବିଜେପି ଓ ଏନଡିଏ ରେକର୍ଡ ସଂଖ୍ୟକ ସିଟ ଜିତି ପୁଣି ସରକାର ଗଠନ କରିବେ ବୋଲି କହିଥିଲେ। ଏବେ କିନ୍ତୁ ବିହାରରୁ ବିଜେପି ମୂଳପୋଛ ହେବ ବୋଲି କହିଛନ୍ତି ନୀତୀଶ।





