‘ନିଆଁକୁ ଲିଭାଇବାକୁ ନୁହଁ, ମଣିପୁର ଜଳାଇବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ’: ରାହୁଲ ଗାନ୍ଧି

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଗୋଟିଏ ପଟେ ମଣିପୁର ଜଳୁଛି, ଅନ୍ୟପଟେ ଲୋକସଭାରେ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଚାଲିଥିବାବେଳେ ମୋଦୀ ହସୁଥିଲେ ଏବଂ ମଜାକ ଉଡ଼ାଉଥିଲେ।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦରେ ୨ ଘଣ୍ଟା ୧୩ ମିନିଟ୍‌ କହିଲେ। ପରିଶେଷରେ ସେ ମଣିପୁର ପ୍ରସଙ୍ଗରେ ୨ ମିନିଟ୍‌ ପାଇଁ କହିଲେ। ମଣିପୁର ୨ ମାସ ହେବ ଜଳୁଛି। ଲୋକଙ୍କୁ ହତ୍ୟା କରାଯାଉଛି ଏବଂ ଦୁଷ୍କର୍ମ ଘଟଣା ଘଟୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି ଏବଂ ପରିହାସ କରୁଛନ୍ତି। ଏହା ତାଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଭାରତୀୟ ସେନା ମାତ୍ର ୨ ଦିନରେ ଏସବୁକୁ ଶେଷ କରିଦେଇପାରିବ କିନ୍ତୁ ମଣିପୁର ଜଳୁ ବୋଲି ପ୍ରଧାନମନ୍ତ୍ରୀ ଚାହାନ୍ତି। ସେ ମଣିପୁର ନିଆଁକୁ ଲିଭାଇବାକୁ ଚାହାନ୍ତିନି।

୨୦୨୮ରେ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ଉଲ୍ଲେଖ କରି ରାହୁଲ କହିଛନ୍ତି, ୨୦୨୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବେ କି ନା’ ପ୍ରଶ୍ନ ନଥିଲା ଏବଂ ପ୍ରଶ୍ନ ଥିଲା ମଣିପୁରକୁ ନେଇ ଯେଉଁଠାରେ ଶିଶୁ ଏବଂ ଲୋକମାନଙ୍କୁ ହତ୍ୟା କରାଯାଉଛି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ତାଙ୍କର ରାଜନୀତି ଏବଂ ତାଙ୍କ ଲକ୍ଷ୍ୟ କଥା କହୁଥିଲେ। ପ୍ରଧାନମନ୍ତ୍ରୀ କିଛି ନହେଲେ ମଣିପୁର ଯିବା ଉଚିତ। ଦୁଇ ସମ୍ପ୍ରଦାୟ ସହ କଥା ହୋଇ ସେ କହିବା ଉଚିତ ଯେ ମୁଁ ଆପଣମାନଙ୍କ ପ୍ରଧାନମନ୍ତ୍ରୀ ଏବଂ ଏହି ବିବାଦର ସମାଧାନ କରିବି। କିନ୍ତୁ ଏସବୁ ମୁଁ ତାଙ୍କଠାରେ‌ ଦେଖିପାରିଲି ନାହିଁ।

ରାହୁଲ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ହାତରେ ଅନେକ ଉପକରଣ ଅଛି। କିନ୍ତୁ ହିଂସା ଶେଷ କରିବାପାଇଁ ସେ ତାକୁ ବ୍ୟବହାର କରୁନାହାନ୍ତି। ମଣିପୁରରେ କିଛି କଥାବାର୍ତ୍ତା ନାହିଁ। ସେଠି କେବଳ ହିଂସା ହିଁ ଚାଲିଛି। ତେଣୁ ହିଂସା ବନ୍ଦ କରିବା ହେଉଛି ପ୍ରଥମ ପଦକ୍ଷେପ। ଆମ ସ୍ବରକୁ କେହି ଦବାଇ ପାରିବେ ନାହିଁ ବୋଲି ରାହୁଲ କହିଛନ୍ତି।

Related Posts