ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ଥାନେ କଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ଗତ ୨୪ ଘଣ୍ଟାରେ ୧୮ ରୋଗୀଙ୍କ ମୃତ୍ୟୁ ହେଲାଣି। ଏହି ସୂଚନା ନଗରନିଗମ ଆୟୁକ୍ତ ଅଭିଜିତ ବାଙ୍ଗର ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୮ ପୁରୁଷ ଅଛନ୍ତି।
ଏ ନେଇ ବାଙ୍ଗର ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପରିସ୍ଥିତିର ଫିଡବ୍ୟାକ ନେଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ରୋଗୀଙ୍କର ଏପରି ଅସ୍ୱଭାବିକ ମୃତ୍ୟୁର ତଦନ୍ତ ନିମନ୍ତେ ଏକ କମିଟି ଗଠନ କରିବାକୁ ଆଦେଶ ଦେଇଥିବା ବାଙ୍ଗର କହିଛନ୍ତି। ସ୍ୱାସ୍ଥ୍ୟ ସେବା ଆୟୁକ୍ତ ଏହି କମିଟିର ଅଧ୍ୟକ୍ଷତା କରିବେ ବୋଲି ସେ କହିଛନ୍ତି। ଏହି କମିଟିରେ ଜିଲ୍ଲାପାଳ, ନାଗରିକ ପ୍ରମୁଖ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ମଧ୍ୟ ରହିବେ। ଏହି କମିଟି ମୃତ୍ୟୁର କାରଣ ଯାଞ୍ଚ କରିବ।
ପ୍ରାଣ ହରାଇଥିବା ରୋଗୀଙ୍କର କିଡନୀ ଷ୍ଟୋନ, କ୍ରୋନିକ ପାରାଲିସିସ୍, ଅଲସର, ନିମୋନିଆ ଓ ସେପ୍ଟିସେମିଆ ଆଦି ଜଟିଳତା ଥିଲା। ଯାଞ୍ଚ କମିଟି ହସ୍ପିଟାଲ ପକ୍ଷରୁ ସେମାନଙ୍କୁ କରାଯାଇଥିବା ଚିକିତ୍ସାର ତଦନ୍ତ କରିବେ। ମାମଲାରେ ମୃତ ରୋଗୀଙ୍କ ପରିଜନଙ୍କ ଅଭିଯୋଗ ମଧ୍ୟ ସ୍ଥାନିତ ହେବ। ଏଥିରେ କିଛି ରୋଗୀଙ୍କ ପରିଜନ ଚିକିତ୍ସାରେ ଗୁରୁତର ଅବହେଳା ଅଭିଯୋଗ ମଧ୍ୟ କରୁଛନ୍ତି। ଏହା ଉପରେ ତଦନ୍ତକାରୀ କମିଟି ଗୁରୁତ୍ୱ ଦେବେ।
ମହାରାଷ୍ଟ୍ର ମନ୍ତ୍ରୀ ଦୀପକ କେସରକର ଏହି ହସ୍ପିଟାଲର ଆଇସିୟୁ କ୍ଷମତା ବାଢାଇ ଦିଆଯାଇଥିବା କହିଛନ୍ତି। ଏଣୁ ଗୁରୁତର ରୋଗୀଙ୍କୁ ସେମାନଙ୍କ ଜୀବନର ଚୂଡ଼ାନ୍ତ ପର୍ଯ୍ୟାୟରେ ଆଇସିୟୁରେ ରଖାଯାଉଛି। ସେମାନଙ୍କୁ ବଞ୍ଚାଇବାକୁ ଡାକ୍ତର ପୂର୍ଣ୍ଣ ଚେଷ୍ଟା କରିଛନ୍ତି। ଯଦି ଏଗୁ଼ଡିକ ପ୍ରାକୃତିକ ମୃତ୍ୟୁ ଓ ହସ୍ପିଟାଲକୁ ଶେଷ ମୁହୁର୍ତ୍ତରେ ଆସିଥିଲେ ତେବେ ସେମାନଙ୍କୁ ବଞ୍ଚାଇବା ଡାକ୍ତରଙ୍କ ଲାଗି କଷ୍ଟକର ହୋଇଥାଏ ବୋଲି ସେ କହିଛନ୍ତି। ରୋଗୀ ଯେ କୌଣସି ହସ୍ପିଟାଲକୁ ଯାଇ ପାରନ୍ତି, ତେବେ ସେମାନେ କେଉଁ ପରିସ୍ଥିତିରେ ହସ୍ପିଟାଲରେ ପହଞ୍ଚିଥିଲେ ତାହା ହିଁ ସେମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୋଲି କେସରକର କହିଛନ୍ତି।
ତେବେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ଗିରିଶ ମହାଜନ ୫୦୦ କ୍ଷମତାର ହସ୍ପିଟାଲରେ ଦିନକରେ ୧୬ ମୃତ୍ୟୁ ବାସ୍ତବିକ ଚିନ୍ତାର ବିଷୟ ବୋଲି କହିଛନ୍ତି। ସେହିପରି ଅଞ୍ଚଳର ବିଧାୟକ ତଥା ଏନସିପି ନେତା ଜିତେନ୍ଦ୍ର ଅବଧ ହସ୍ପିଟାଲର ପରିଚାଳନାକୁ ଦାୟି କରିଛନ୍ତି। ତେବେ ବିଳମ୍ବ ହେବା ପୂର୍ବରୁ ପ୍ରଶାସନକୁ ଉଚିତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।





