ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପିକୁ ଭୋଟ ଦେଉଥିବା ଲୋକମାନେ ରାକ୍ଷସ ପ୍ରକୃତିର । କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲାଙ୍କ କିଛି ଏଭଳି ବୟାନକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ। ହରିୟାଣାର କୈଥଲ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଜନ ଆକ୍ରୋଶ ସମାବେଶରେ ଭାଷଣ ଦେବା ଅବସରରେ ସୁରଜେୱାଲା କିଛି ଏଭଳି ବୟାନ ଦେଇଛନ୍ତି। ସୁରଜେୱାଲା କହିଛନ୍ତି ଯେ, ବିଜେପିର କର୍ମୀ ଓ ବିଜେପିକୁ ଭୋଟ ଦେଉଥିବା ଲୋକମାନେ ରାକ୍ଷସ ପ୍ରକୃତିର। ମୁଁ ଆଜି ମହାଭାରତର ଏହି ଭୂମିରୁ ସେମାନଙ୍କୁ ଅଭିଶାପ ଦେଉଛି।
ତେବେ ନିଜ ଭାଷଣରେ କେନ୍ଦ୍ରର ବିଜେପି ସରକାର ଓ ହରିୟାଣାର ବିଜେପି ଜେଜେପି ମେଣ୍ଟ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ସୁରଜେୱାଲା ଟାର୍ଗେଟ କରିଛନ୍ତି। ଉଭୟ ହରିୟଣା ଓ ଦେଶରେ ବଢୁଥିବା ବେରୋଜଗାରି ଓ ଦର ଦାମକୁ ନେଇ ସେ ବିଜେପି ଉପରେ ବର୍ଷିଥିଲେ ମଧ୍ୟ ତାଙ୍କର ରାକ୍ଷସ ବୟାନ କୁ ନେଇ କିନ୍ତୁ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ବିଜେପି ପକ୍ଷରୁ ଏହି ବୟାନକୁ ନେଇ ସିଧାସଳଖ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରାଯାଉଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୁରଜେୱାଲାଙ୍କ ଭିଡ଼ିଓ ଟୁଇଟ୍ କରି କହିଛନ୍ତି ଯେ, ବାରମ୍ବାର ନିଜ ରାଜକୁମାର ଙ୍କୁ ଲଞ୍ଚ କରିବାରେ ବିଫଳ ହୋଇଥିବା କଂଗ୍ରେସ ପାର୍ଟି ଏବେ ସିଧାସଳଖ ଦେଶର ଜନତାଙ୍କୁ ରାକ୍ଷସ କହିବା ଆରମ୍ଭ କରିଛି। ଗୋଟିଏ ପଟେ ୧୪୦ କୋଟି ଦେଶବାସୀଙ୍କ ସେବକ ପ୍ରଧାନମନ୍ତ୍ରୀ ମୋଦି, ଯାହାଙ୍କ ପାଇଁ ଜନତା ଭଗବାନ ଙ୍କ ରୂପ ଅଟନ୍ତି। ହେଲେ ଅନ୍ୟପଟେ କଂଗ୍ରେସ ପାର୍ଟି, ଯେଉଁମାନେ ଜନତାଙ୍କୁ ରାକ୍ଷସ କହୁଛନ୍ତି। ଖୁବ୍ ଶୀଘ୍ର କଂଗ୍ରେସର ଘୃଣାର ସପିଙ୍ଗ ମଲ୍ କୁ ବନ୍ଦ୍ ଦେଶର ଜନତା ବନ୍ଦ୍ କରିବେ ବୋଲି ସମ୍ବିତ ଟୁଇଟ୍ କରିଛନ୍ତି।
ତେବେ ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାବେଳେ ଏବେଠୁ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଟାର୍ଗେଟ କରିବାର କୌଣସି ମୌକା ଛାଡୁ ନାହାନ୍ତି। ଏଭଳି ସ୍ଥିତିରେ ସୁରଜେୱାଲାଙ୍କ ରାକ୍ଷସ ବୟାନ ବିଜେପିକୁ ଏକ ନୂଆ ସୁଯୋଗ ଦେଇଛି। ଏହି ବୟାନକୁ ନେଇ ବିଜେପି ନେତାମାନେ କଂଗ୍ରେସକୁ ଏବେ ଘେରିବା ଆରମ୍ଭ କରିଥିବା ବେଳେ କଂଗ୍ରେସ ଏବେ ଏହାକୁ କିଭଳି କାଉଣ୍ଟର କରୁଛି ତାହା ଦେଖିବାକୁ ବାକି ରହିଲା।





