ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନାମ ପାଇଁ ନୁହେଁ ବରଂ ନିଜ କାମ ପାଇଁ ନେହେରୁ ସୁପରିଚିତ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ | ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ର ନାମ ପରିବର୍ତ୍ତନ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ୍ ଏହା କହିଛନ୍ତି।
ସେ କହିଛନ୍ତି, ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି, ତାଙ୍କ ନାମରେ ନାହିଁ। ‘ନେହେରୁ ସଂଗ୍ରହାଳୟ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ’ କରାଯିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦର ଦିନକ ପରେ ରାହୁଲ୍ ଏହି ଟିପ୍ପଣୀ ଦେଇଛନ୍ତି।
କଂଗ୍ରେସ କହିଛି ‘ବିଜେପି’ ‘ଏନ୍’କୁ ପରିବର୍ତ୍ତନ କରି ‘ପି’ କରିବାର ଅର୍ଥ ହେଲା ଦଳର ‘ପେଟିନେସ୍ ଆଣ୍ଡ୍ ପିଇଭ୍’ (ହୀନମନ୍ୟତା ଓ ଅସନ୍ତୋଷ)। ଏହାର ପ୍ରତ୍ୟୁତ୍ତର ଦେଇ ‘ବିଜେପି’ କହିଛି ଯେ, ‘ଦରବାରୀମାନେ ବିଳାପ’ (ରାଜଦରବାରର ଲୋକମାନେ କାନ୍ଦୁଛନ୍ତି) କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୧୪ ତାରିଖରୁ ‘ଦି ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରି’କୁ ଆନୁଷ୍ଠାନିକ ଭାବେ ‘ଦି ପ୍ରାଇମ୍ମିନିଷ୍ଟର୍ସ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରି ସୋସାଇଟି’ ଭାବେ ପୁନଃନାମିତ କରାଯାଇଛି।
ପୁନଃନାମକରଣକୁ ସମର୍ଥନ କରି ‘ବିଜେପି’ କହିଛି ନେହେରୁଙ୍କ ଉପରୁ ଧ୍ୟାନ ହଟାଇ ଏହି ସଂଗ୍ରାହାଳୟ ବର୍ତ୍ତମାନ ସବୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଲୋକପାତ କରୁଛି। ପୂର୍ବରୁ ନେହେରୁ ସଂଗ୍ରାହାଳୟରେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କର ସ୍ଥାନ ନ ଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।





