ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ); ନିଲମ୍ବିତ ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଚେୟାରମ୍ୟାନ ଶରତ ନାୟକଙ୍କ ନାଁରେ ଆଉ ଏକ ବଡ଼ ଅଭିଯୋଗ | ସ୍ଥାନୀୟ ଗୋକନ ହାଇସ୍କୁଲରେ ଶିକ୍ଷୟତ୍ରୀ ଥିବା ଶରତଙ୍କ ପତ୍ନୀ ନୀଳିମା ପାତ୍ର ଫେକ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି |
ତେବେ ଶରତଙ୍କ ପତ୍ନୀ ଏବେ ଗୋକନ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି | ହେଲେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ନେଇ ଗତ ମେ 15 ତାରିଖରେ କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା | ଏହି ଅଭିଯୋଗର ତଦନ୍ତ କରିବା ପାଇଁ କଟକ ଜିଲ୍ଲା ପାଲ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ନିର୍ଦେଶ ଦେଇଥିଲେ | ହେଲେ ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି ତଦନ୍ତ ନକରିବାରୁ ସ୍ଥାନୀୟ ଲୋକମାନେ ଗତ ଜୁନ 6 ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ | ଏପରିକି ନୀଳିମାଙ୍କ ସ୍ୱାମୀ ଶାସକ ଦଳର ନେତା ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ତଦନ୍ତ ମଧ୍ୟ ହେଉନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି |
ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, ଅଭିଯୋଗ ଆସିଥିବା ନୀଳିମା ପାତ୍ର ଛତ୍ରପତି ସାହୁଜୀ ମହାରାଜ ବିଶ୍ୱବିଦ୍ୟାଳୟ, କାନପୁରର ସାର୍ଟିଫିକେଟ ଦେଇ ଚକ୍ରୀ କରିଛନ୍ତି | ଏହି ସାର୍ଟିଫିକେଟର ସତ୍ୟାସତ୍ୟ କେତେ ସେନେଇ ସମ୍ପୃକ୍ତ ବିଶ୍ବବିଦ୍ୟାଳୟକୁ ତଥ୍ୟ ମଗାଯାଇଛି |
ଅନ୍ୟପଟେ ମାହାଙ୍ଗା ନାବାଳିକା ଛାତ୍ରୀ ରହସ୍ୟଜନକ ମୃତ୍ୟୁ ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେଉଛି। ଗୁରୁବାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ କୁମାର ନାୟକଙ୍କୁ ବିଜେଡି ନିଲମ୍ବିତ କରିବା ପରେ ଶୁକ୍ରବାର ଥାନାକୁ ଡାକି ଶରତଙ୍କୁ ଜେରା କରିଛି ପୁଲିସ। ଜେରା ସମୟରେ ଶରତଙ୍କଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୁଲିସ।
ହେଲେ କୌତୂହଳର କଥା ହେଲା, ଯେଉଁ ମୋବାଇଲରୁ ସେ କ୍ରୀଡା ଶିକ୍ଷକଙ୍କ ମାଆଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଓ ଯାହାର ଅଡିଓ ଭାଇରାଲ ହୋଇଥିଲା, ସେହି ମୋବାଇଲ ହଜି ଯାଇଥିବା ଶରତ ପୁଲିସକୁ ସୂଚନା ଦେଇଛନ୍ତି। ଫଳରେ ପୁଲିସ ତାଙ୍କ ମୋବାଇଲରୁ ତଥ୍ୟ ହାସଲ କରିବାରେ ବିଫଳ ହୋଇଛି। ଏପଟେ କିନ୍ତୁ ଖେଳ ଶିକ୍ଷକଙ୍କ ମୋବାଇଲ ଫୋନ ଜବତ୍ କରି ଭାଇରାଲ ହେଉଥିବା ଅଡିଓର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଆଜି ଶରତଙ୍କ ସମେତ ମୃତ ଛାତ୍ରୀ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ ୩ଜଣ ସହପାଠୀଙ୍କୁ ବି ପୁଲିସ ପଚରାଉଚୁରା କରିଛି। ଗୋଟିଏ ପଟେ ତଦନ୍ତ ଆଗକୁ ବଢ଼ୁଥିବା ପୁଲିସ କହୁଥିବା ବେଳେ କାହିଁକି ଏବଂ କାହା ଚାପରେ ପୁଲିସ ଏଯାଏ ଏହି ମାମଲାରେ ଏତଲା ରୁଜୁ କରୁନାହିଁ, ତାହା ବୁଝାପଡ଼ୁନାହିଁ।
ଅନ୍ୟପଟେ ମୃତ ନାବାଳିକା ଛାତ୍ରୀଙ୍କ ବାପା ତାଙ୍କ ଝିଅ ମୃତ୍ୟୁକୁ ନେଇ ଅପପ୍ରଚାର ଚାଲିଥିବା ଅଭିଯୋଗ କରିଛନ୍ତି। ଏହା ତାଙ୍କୁ ମାନସିକ ଦୁଶ୍ଚିନ୍ତା ଦେଉଛି, ମିଛରେ ବଦନାମ୍ କରାଯାଉଛି। ସେଥିପାଇଁ ଯଦି କିଛି ଅଘଟଣ ଘଟେ ତାହେଲେ ପରିବାର ଆତ୍ମହତ୍ୟା କରିବେ ବୋଲି ମାହାଙ୍ଗା ଥାନାରେ ଲିଖିତଭାବେ ସେ ଜଣାଇଛନ୍ତି। ଆହୁରି ବଡ଼ କଥା ହେଲା, ଭାଇରାଲ ହେଉଥିବା ନାବାଳିକା ଛାତ୍ରୀଙ୍କ ମୂଳ ଚିଠି ବା ହାତଲେଖା ଚିଠିକୁ ଖୋଜିଖୋଜି ନୟାନ୍ତ ହେଲାଣି ପୁଲିସ। ସେହି ମୂଳ ଚିଠି ମିଳୁ ନଥିବାରୁ ପୁଲିସ ତଦନ୍ତ ଆଗେଇପାରୁନି। ଗତକାଲି ତଦନ୍ତ ଦାୟିତ୍ବ ନେଇଥିବା ଅତିରିକ୍ତ ଏସ୍ପି କୃଷ୍ଣ ପ୍ରସାଦ ପଟ୍ଟନାୟକ ଜଗତ୍ସିଂହପୁର ଯାଇ ଖେଳ ଶିକ୍ଷକ ଓ ତାଙ୍କ ପରିବାରବର୍ଗଙ୍କୁ ପଚରାଉଚୁରା କରିଥିଲେ। ଏଥିସହ ଶିକ୍ଷକଙ୍କ ଯେଉଁ ମୋବାଇଲ ଫୋନ୍ରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଓ ଖେଳ ଶିକ୍ଷକଙ୍କ ମାଆଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ରେକର୍ଡିଂ ରହିଛି, ତାକୁ ଜବତ୍ କରିଥିଲେ। ତିନି ଦିନରେ ଏହି ଘଟଣାରେ ପୁଲିସ ମୃତ ନାବାଳିକାଙ୍କ ପରିବାରବର୍ଗ, ସାହିପଡିଶାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ପଚାରାଉଚୁରା କରିସାରିଲାଣି ପୁଲିସ।





