ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆନ୍ତର୍ଜାତୀୟ ଆଥଲେଟ୍ ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଦୂତି ଚାନ୍ଦ । ଯେଉଁଥି ପାଇଁ ସେ ଅଲଟ୍ରାସାଉଣ୍ତ ଏବଂ ଏମଆଇଆଇ କରାଇଥିଲେ । ଯାହା ପରେ ସେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଆରମ୍ଭ କରିଥିଲେ । ତେବେ ଔଷଧରେ ନିଷିଦ୍ଧ ସାମଗ୍ରୀ ରହିଛି ବୋଲି ସେ ଜାଣିନଥିଲେ ବୋଲି କହିଛନ୍ତି ଦୂତି ଚାନ୍ଦ ।
ଦୂତିଙ୍କ ସୂଚନା ଅନୁସାରେ, ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତା ବେଳେ ୨୦୨୧ରେ ସେ ପ୍ରଥମ ଥର ଜଙ୍ଘ ଏବଂ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯନ୍ତ୍ରଣା ଯୋଗୁ ତାଙ୍କର ଅଲିମ୍ପିକ୍ସରେ ପ୍ରଦର୍ଶନ ମଧ୍ୟ ଭଲ ନଥିଲା । ପରବର୍ତ୍ତି ସମୟରେ ଅର୍ଥାତ୍ ଟୋକିଓରୁ ଆସିବା ପରେ ତାଙ୍କ ଯନ୍ତ୍ରଣା ବଢିଯାଇଥିଲା । ଯାହା ପରେ ସେ ଅଲଟ୍ରାସାଉଣ୍ତ ଏବଂ ଏମଆରଆଇ କରିବା ପରେ ସେ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜାଣିଥିଲେ ।
କ୍ୟାନ୍ସର ଷ୍ଟେଜ ୱାନରେ ଥିବା ବେଳେ ଦୂତୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । କର୍କଟ ରୋଗ କୌଣସି ଟିସୁକୁ ବ୍ୟାପିନଥିଲା ବୋଲି ମଧ୍ୟ ଦୂତି କହିଛନ୍ତି । ହେଲେ ଚିକିତ୍ସା ସମୟରେ ଖେଳ ଛାଡିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ନିୟମିତ ଚିକିତ୍ସା ପରେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିଲେ ଏବଂ ପରବର୍ତ୍ତି ସମୟରେ ନାଡା ତାଙ୍କ ଠାରୁ ନମୁନା ସଂଗ୍ରହ କରିଥିଲା ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।
ଦୂତି ଦେଇଥିବା ସୂଚନା ଅନୁସାରେ, ତାଙ୍କ ପାଖକୁ ୨୫ ପୃଷ୍ଠାର ନୋଟିସ ଆସିଛି । ଏନେଇ ସେ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବେ । ୪ ବର୍ଷ ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ ବୋଲି ଦୂତି ଚାନ୍ଦ କହିଛନ୍ତି । ଏହା ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି । ମୋତେ ନ୍ୟାୟ ମିଳିଲେ ମୁଁ ଟ୍ରାକକୁ ଫେରିବି ବୋଲି ସେ କହିଛନ୍ତି ।





