ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତାଟହ 5T ଇନଚାର୍ଜ ଭିକେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ବିଭିନ୍ନ ନେତାମାନେ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ କାଳିମାଡ଼ ଘଟଣା ସମ୍ପୂର୍ଣ ପ୍ରାୟୋଜିତ ବୋଲି କଂଗ୍ରେସ କହିଛି।
ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘର ହାଲଚାଲ ଲେଖା ପରେ ଏହା ବିଜେଡିର ଏକ ପ୍ରାୟୋଜିତ କାର୍ଯ୍ୟ । ନବ ଦାସଙ୍କ ମୃତ୍ୟୁ ପରେ ପଣ୍ଡିଆନଙ୍କ ସୁରକ୍ଷାକୁ କଡ଼ା କରାଯାଇଛି। କୋଟିକୋଟି ଟଙ୍କା ତାଙ୍କ ପ୍ରତି ଖର୍ଚ୍ଚ ମଧ୍ୟ ହେଉଛି। ଏହାକୁ ନେଇ ଶାସକ ଦଳ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖା ପଣ୍ଡିଆନକୁ ଅଡ଼ୁଆରେ ପକାଉଛି। ଏଣୁ ଏପରି ଖେଳ ଖେଳିଛି ବିଜେଡି। ଏପରି କହିବାର ଅର୍ଥ ହେଉଛି ଯେ, ଯେତେବେଳେ କାଳିମାଡ଼ ହେଲା ସେତେବେଳେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ସାଧାରଣ ଥିଲା। ସେ ହସୁଥିଲେ, ଯାହାକି ଅସ୍ବାଭାବିକ ଥିଲା। ଏହାସହ ସଙ୍ଗେ ସଙ୍ଗେ କିଛି ମହିଳା ତାଙ୍କ ପଣତରେ କାଳି ପୋଛି ଦେଉଥିଲେ। ତେବେ ଏହା କଣ ପ୍ରାୟୋଜିତ ନୁହେଁ? ଏହାସହ କାଳି ମାରିଥିବା ଯୁବକ ପୂର୍ବରୁ ବିଜେଡିରେ ସାମିଲ ଥିଲା। ତେଣୁ ଏହା ସମ୍ପୂର୍ଣ୍ଣ ଏକ ପ୍ରାୟୋଜିତ ଘଟଣା ବୋଲି ପଞ୍ଚାନନ କହିଛନ୍ତି ।





