ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ହେଉଥିବା ବେଳେ ହିମାଚଳର କୁଲ୍ଲୁରେ ଗୁରୁବାର ଅନେକ କୋଠା ତାସ୍ ଘର ପରି ଦେଖୁ ଦେଖୁ ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଛି । କ୍ୟାମେରାରେ ଗୋଟିଏ ପରେ ଗୋଟିଏ କୋଠା ଧସିବାର ଭିଡିଓ କଏଦ ହୋଇଥିବା ବେଳେ ଆଉ ୨ରୁ ୩ଟି କୋଠା ଭୁଶୁଡ଼ିବା ଅବସ୍ଥାରେ ରହିଛି ।
ତେବେ ଆଶ୍ୱସ୍ତିର କଥା ହେଉଛି, ଭୁଶୁଡ଼ିବା ଆଗରୁ ପ୍ରଶାସନ କୋଠାରୁ ଲୋକଙ୍କୁ ବାହାର କରି ଦେଇଥିଲା । ମାତ୍ର ୨୬ ସେକେଣ୍ଡରେ ପ୍ରାୟ ୭ଟି କୋଠା ଗୋଟିଏ ପରେ ଗୋଟିଏ ଧସି ଚାଲିଥିଲା । ପ୍ରବଳ ବର୍ଷା ଯୋଗୁଁ କୋଠା ଗୁଡ଼ିକ ଦୁର୍ବଳ ହୋଇ ଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ କୁଲ୍ଲୁ-ମନାଲି ହାଇୱେ ବନ୍ଦ ରହିଛି । ଆଗାମୀ ୨ ଦିନ ପାଇଁ ପୂରା ହିମାଚଳ ପ୍ରଦେଶକୁ ଜାରି ହୋଇଛି ରେଡ୍ ଆଲର୍ଟ । ହିମାଚଳ ପ୍ରଦେଶର ୩ ଜିଲ୍ଲା ଶିମଲା, ମଣ୍ଡି ଓ ସୋଲନରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖା ଯାଇଛି ।
ବିଗତ ୨୪ ଘଣ୍ଟାରେ ହିମାଚଳ ପ୍ରଦେଶର ୪ଟି ସ୍ଥାନରେ ବାଦଲ ଫାଟିଛି । ବାଦଲ ଫଟା ବର୍ଷାରେ ୧୧ ଜଣଙ୍କ ମୃତ୍ୟୁ ଦିନକରେ ହୋଇଛି । ୧୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ସଡ଼କକୁ ବନ୍ଦ କରି ଦିଆଯାଇଛି । ରାଜ୍ୟରେ ୩ଟି ଜାତୀୟ ରାଜପଥ ସହ ୫୩୮ ରୋଡକୁ ବନ୍ଦ ରଖା ଯାଇଛି ।
ଚଳିତବର୍ଷ ମୌସୁମୀ ଋତୁରେ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଓ ବର୍ଷା ଥମିବାର ନାଁ ନେଉନି । ଏବେ ସୁଦ୍ଧା ଏଥିରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟର ପ୍ରାୟ ୧୦ ହଜାର କୋଟିରୁ ଅଧିକ କ୍ଷତି ହୋଇଥିବା ଜଣାପଡ଼ିଛି ।





