ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ ଗସ୍ତରେ ଯାଇ ଆଜି ଗ୍ରୀସ୍ରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଥେନ୍ସ୍ ନଗରୀରେ ଭାରତୀୟ ବଂଶୋଦ୍ଭବମାନେ ଢୋଲ ବଜାଇ ଓ ବନ୍ଦେ ମାତରଂ ଧ୍ବନି ଦେଇ ଭବ୍ୟ ସ୍ବାଗତ ଜଣାଇଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଦୀର୍ଘ ୪୦ ବର୍ଷ ପରେ ଗ୍ରୀସ୍ ଗସ୍ତ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଦକ୍ଷିଣ ଆଫ୍ରିକାର ଜୋହନେସ୍ବର୍ଗରେ ୧୫ଶ ‘ବ୍ରିକ୍ସ୍’ ଶିଖର ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଥେନ୍ସ୍ରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ରହୁଥିବା ଆଥେନ୍ସ୍ର ହୋଟେଲ୍ ଗ୍ରାଣ୍ଡ୍ ବ୍ରିଟେଗ୍ନି ବାହାରେ ଭାରତୀୟ ବଂଶୋଦ୍ଭବମାନେ ତାଙ୍କୁ ଗ୍ରୀକ୍ ‘ମଥାଫିତା’ (ବିଶେଷ ଉତ୍ସବରେ ମୁଣ୍ଡରେ ପିନ୍ଧା ଯାଉଥିବା ସାଜ) ପିନ୍ଧାଇ ସ୍ବାଗତ କରିଥିଲେ। ଏହାଛଡ଼ା, ସେମାନେ ଢୋଲ ବଜାଇ ବଜାଇ ‘ମୋଦୀ-ମୋଦୀ’ ଓ ‘ବନ୍ଦେ ମାତରଂ’ ଧ୍ବନି ଦେଇଥିଲେ।
ସୂଚନାଯୋଗ୍ୟ, ଗ୍ରୀକ୍ ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିସ୍ତୋତାକିସ୍ଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ଦିନକ ପାଇଁ ଗ୍ରୀକ୍ ଗସ୍ତରେ ଯାଇଛନ୍ତି। ଏହି ଗୋଟିଏ ଦିନ ଆଥେନ୍ସ୍ ରହଣିରେ ସେ ଗ୍ରୀକ୍ ନେତୃମଣ୍ଡଳୀ, ବ୍ୟାବସାୟୀ ସମ୍ପ୍ରଦାୟ, ଭାରତୀୟ ବଂଶୋଦ୍ଭବ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବେ।





