ଚନ୍ଦ୍ରଯାନ-3 ମିଶନରେ ମୋଟ ଖର୍ଚ୍ଚ ଯେତେ, ପାଣ୍ଡିଆନଙ୍କ ଜିଲ୍ଲା ବୁଲାରେ ଖର୍ଚ୍ଚ ସେତେ: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ଵିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ହାତରେ ପୁଣି ସମାନ ଅସ୍ତ୍ର ‘ଆମ ଘର ହାଲଚାଲ’, ଆଉ ଟାର୍ଗେଟରେ ବି ସମାନ 5T ଇନଚାର୍ଜ ଭିକେ ପାଣ୍ଡିଆନ | ସୌମ୍ୟ ବାବୁ ଏଥରର ଶୀର୍ଷକ ରଖିଛନ୍ତି ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ | ଗତଥର ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ସେ କେବଳ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଉଡାର ଖର୍ଚ୍ଚ ଆକଳନ କରିଥିବାବେଳେ ଏଥର 30 ଜିଲ୍ଲା ଭ୍ରମଣର ମୋଟ ଖର୍ଚ୍ଚ ଆକଳନ କରିଛନ୍ତି |

ଆଉ ଲେଖିଛନ୍ତି, ୩୦ଟି ଜିଲ୍ଲାରେ ୫-ଟି ସଚିବଙ୍କର ଯାତ୍ରା ଶେଷ ବେଳକୁ କେତେ ଖର୍ଚ୍ଚ ହୋଇଥିବ ତାହାର ଗୋଟିଏ ଆକଳନ ଗତ ସପ୍ତାହରେ ଉପସ୍ଥାପିତ କରିଥିଲୁ। ଆଜି ସାରା ଦେଶ ଚନ୍ଦ୍ରାବତରଣର ସଫଳତାରେ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ୫-ଟି ସଚିବଙ୍କ ଓଡ଼ିଶା ଭ୍ରମଣର ଖର୍ଚ୍ଚ ଆମକୁ ଅଧିକ ଆନ୍ଦୋଳିତ କରୁଛି। ଇସ୍ରୋ ସମୁଦାୟ ଚନ୍ଦ୍ରାବତରଣ ଅଭିଯାନରେ ମାତ୍ର ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ ୫-ଟି ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ କରାଯାଉଛି। ସାରା ଦେଶ ଚନ୍ଦ୍ରାବତରଣକୁ ଗ୍ରହଣ କରିଥିବା ବେଳେ ଆମେ ଓଡ଼ିଶାରେ ପାଣ୍ଡିଆନ ସାହେବଙ୍କ ଭ୍ରମଣକୁ ଅଧିକ ଗୁରୁତ୍ବ ଦେଇ ଗ୍ରହଣ କରିନେଇଥିବା ପରି ମନେହେଉଛି।

ସେହିପରି ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ସଚିବ ୟଶପାଲ୍‌ କାପୁରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ତୁଳନା କରିଛନ୍ତି ସୌମ୍ୟ | ସେ ଲେଖିଛନ୍ତି ଯେ, ଗୋଟିଏ ସଭାରେ ପାଣ୍ଡିଆନ କହୁକହୁ କହିଦେଲେ, ‘ଆସନ୍ତୁ ଆମେ ନବୀନବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା।’ କିନ୍ତୁ ପାଣ୍ଡିଆନ୍‌ ସାହେବ ଭୁଲିଗଲେ ଯେ ସେ ଏକ ସରକାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଯୋଗ ଦେଉଛନ୍ତି। ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ଦେଖି ସେ ବୋଧେ ଆତ୍ମବିଭୋର ହୋଇପଡ଼ି ଉଚିତ ଅନୁଚିତର ପ୍ରଭେଦ ଭୁଲିଗଲେ। ୧୯୭୧ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ସଚିବ ୟଶପାଲ୍‌ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଶ୍ରୀମତୀ ଗାନ୍ଧିଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପରେ ଶ୍ରୀମତୀ ଗାନ୍ଧି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରି ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ। ପାଣ୍ଡିଆନ୍‌ ସାହେବଙ୍କର ଉପରୋକ୍ତ ଆଚରଣ ୟଶପାଲ କାପୁରଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ ବୋଲି ସୌମ୍ୟ ଲେଖିଛନ୍ତି।

ସହିପରି ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବାକୁ ଦାବି କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଣିପୁର ପ୍ରସଙ୍ଗରେ ଚୁପ ରହିବାକୁ ନେଇ ମଧ୍ୟ ସୌମ୍ୟ ପେରେଶନ ଉଠାଇଛନ୍ତି | ଅନ୍ୟପଟେ ଶୁକ୍ରବାର ଗଞ୍ଜାମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ‘ବ୍ୟାଡ୍‌ ଅପ୍‌ଟିକ୍ସ’ ବୋଲି କହିଛନ୍ତି ସୌମ୍ୟ | ସହିପରି ବିଜୁ ପଟ୍ଟନାୟକଙ୍କ ସମାଧି ଉଠାଇବାକୁ ନେଇ ପାଣ୍ଡିଆନ ଦେଇଥିବା ମନ୍ତବ୍ୟ ଉପରେ ପ୍ରଦୀପ ଉଠାଇଥିବା ପ୍ରଶ୍ନକୁ ସୌମ୍ୟ ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି | ପ୍ରଦୀପ ମିଛ କହୁଛନ୍ତି ବୋଲି ପାଣ୍ଡିଆନ ପ୍ରମାଣ କରନ୍ତୁ, ନହେଲେ ନିଜ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ିବ ବୋଲି ସୌମ୍ୟ କହିଛନ୍ତି।

ତେବେ ଗୋଟିଏ ପଟେ ପାଣ୍ଡିଆନଙ୍କ ନନଷ୍ଟପ ଜିଲ୍ଲା ଗସ୍ତ ଅନ୍ୟପଟେ ସୌମ୍ୟଙ୍କ ଘନ ଘନ ସମ୍ପାଦକୀୟ ବାଣ ରାଜ୍ୟ ରାଜନୀତିକୁ ସରଗରମ କରିଛି | ପୂର୍ବରୁ ସମ୍ପାଦକୀୟ ପାଇଁ ସୌମ୍ୟାଙ୍କୁ ଦୋମୁହାଁ, ସୁବିଧାବାଦୀ, ବ୍ଲାକମେଲର କହିଥିବା ବିଜେଡି ଏଥର କିଭଳି କାଉଣ୍ଟର କରୁଛି ତାହା ଦେଖିବାକୁ ବାକି ରହିଲା |

Related Posts