ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ଓ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାବେଳେ ରାଜନୈତିକ ଦଳମାନେ ନିଜ ନିଜ ରଣନୀତିକୁ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି । ଏ ପରିପ୍ରେକ୍ଷୀରେ ଏନସିପି ନେତା ଶରଦ ପାଓ୍ବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବିଏସପି ସୁପ୍ରିମୋ ମାୟାବତୀଙ୍କ ଭାରତୀୟ ଜନତା ପାର୍ଟି (ବିଜେପି) ସହ କଥାବାର୍ତ୍ତା ଚାଲିଛି । ଆଗାମୀ ନିର୍ବାଚନରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇପାରେ । ଅର୍ଥାତ୍ ମାୟାବତୀ ଏନଡିଏକୁ ଯାଇପାରନ୍ତି ।ଗୁରୁବାର ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଆଜି ଉଦ୍ଧବ ଠାକରେଙ୍କ ସମେତ ମହାବିକାଶ ଆଘାଡି (ଏମଭିଏ)ର ଅନ୍ୟ ନେତାଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି।
ବହୁଜନ ସମାଜ ପାର୍ଟି (ବିଏସ୍ ପି) ଅଧ୍ୟକ୍ଷା ମାୟାବତୀ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ପରବର୍ତ୍ତୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବେ ବୋଲି ଘୋଷଣା କରିଥିବା ବେଳେ ପାଓ୍ଵାର ଆଜି ଏହି ବୟାନ ଦେଇଛନ୍ତି। ଏସବୁ ରାଜ୍ୟରେ ଦଳିତ ଭୋଟରଙ୍କ ଏକ ବଡ଼ ବର୍ଗ ବିଏସପିକୁ ସମର୍ଥନ କରିବାକୁ ସମ୍ଭାବନା ଥିବାରୁ ତାହା ବିରୋଧୀ ମେଣ୍ଟକୁ ସମସ୍ୟାରେ ପକାଇପାରେ ଓ ବିଜେପିକୁ ଫାଇଦା ଦେଇପାରେ ।
ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ମଧ୍ୟ ଅଣବିଜେପି ଦଳର ମେଣ୍ଟ ‘ଇଣ୍ଡିଆ ମେଣ୍ଟ’ରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚାଲିଥିବା ବିବାଦକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ‘ଇଣ୍ଡିଆ ମେଣ୍ଟ’ର ଅନେକ ଚେହେରା ଅଛି, କିନ୍ତୁ ବିଜେପି ପାଖରେ କେତେ ଜଣ ଅଛନ୍ତି? ସବୁ ଦଳର ବିଚାରଧାରା ଅଲଗା ଅଲଗା ହୋଇପାରେ, କିନ୍ତୁ ସମ୍ବିଧାନକୁ ବଞ୍ଚାଇବା ପାଇଁ ଆମେ ଏକାଠି ହୋଇଛୁ ବୋଲି ଉଦ୍ଧବ କହିଛନ୍ତି।





