‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ଅଭିଯୋଗ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରହିଥିବା ନିୟମାବଳୀ ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି। ଏଭଳି ଅଭିଯୋଗ ଆଣି ରୁଜୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, ବାଲେଶ୍ବର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରି କରିଛନ୍ତି। ତିନି ସପ୍ତାହ ଭିତରେ ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବସ୍ତା ବ୍ଲକରେ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ ବେଳେ ପଞ୍ଚାୟତର ସ୍ବାର୍ଥ ଓ ଗ୍ରାମସଭାର ସଂପୃକ୍ତି ରହିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସରକାରୀ କର୍ତ୍ତୃପକ୍ଷ ନିଜ ପ୍ରତିଶ୍ରୁତି ମାନିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବସ୍ତା ବ୍ଲକର ୯ଜଣ ନିର୍ବାଚିତ ସରପଞ୍ଚଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେପ୍ଟେମ୍ବର ୨୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୩ ଜୁଲାଇ ୧୧ରେ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ। ପଞ୍ଚାୟତରେ ସାମାଜିକ, ସାଂସ୍କୃତିକ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତୀକରଣ ପାଇଁ କଣ କରାଯିବ ସେ ସଂପର୍କରେ ଗ୍ରାମବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରସ୍ତାବ ଦେବେ ବୋଲି କୁହାଯାଇଥିଲା। ଆବେଦନକାରୀ ନଗେନ୍ଦ୍ର କୁମାର ସିଂ ଓ ଅନ୍ୟ ୮ଜଣ ନିର୍ବାଚିତ ସରପଞ୍ଚ ହୋଇଥିବା ବେଳେ ବିଚାର ଆଲୋଚନା ପରେ ସେମାନଙ୍କ ପଞ୍ଚାୟତ ପାଇଁ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରସ୍ତାବ ଦେଇଥିଲେ। ଅନ୍ୟପଟେ କିନ୍ତୁ ଏହି ଯୋଜନା ଅଧୀନରେ କେମିତି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ସେ ନେଇ ସରପଞ୍ଚମାନଙ୍କୁ ଅନ୍ଧାରରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଆବେଦନକାରୀ ସରପଞ୍ଚମାନେ ଜାଣିବାକୁ ପାଇଥିଲେ ଯେ ପଞ୍ଚାୟତରେ ଏହି ଯୋଜନା ଅଧୀନରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସରକାରୀ ବିଭାଗ କରିବେ। ମାର୍ଗଦର୍ଶିକା ଅନୁସାରେ ପଞ୍ଚାୟତ ସମିତି ବିଭିନ୍ନ ବିଭାଗ ଦ୍ବାରା ବା ଜିଲ୍ଲାପାଳ ଚୟନ କରିଥିବା ଏଜେନ୍ସି ଦ୍ବାରା ଏହି ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବା କଥା। କିନ୍ତୁ ତାହା ହୋଇ ନଥିବାରୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଶୁଣାଣି ବେଳେ ପଞ୍ଚାୟତସ୍ତରରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ ବେଳେ ଗ୍ରାମପଞ୍ଚାୟତକୁ ସଂପୃକ୍ତ କରା ନଯିବା ବେଆଇନ ବୋଲି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି କରିଥିଲେ। ଏହା ସମ୍ବିଧାନର ୭୩ତମ ସଂଶୋଧନର ବିରୁଦ୍ଧାଚରଣ କରୁଛି। ନିର୍ବାଚିତ ପ୍ରତିନିଧିଙ୍କ ଅଧିକାରରେ ଏହା ହସ୍ତକ୍ଷେପ। ପଲ୍ଲୀସଭା, ଗ୍ରାମସଭା ନ ଡାକି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବିଭିନ୍ନ ବିଭାଗ ଦ୍ବାରା ସଂପାଦନ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସରକାର ଏକ ପ୍ରଶାସନିକ ଆଦେଶ ବଳରେ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଳଂଘନ କରିପାରିବେ ନାହିଁ। ଯଦି ପଞ୍ଚାୟତକୁ ଅଣଦେଖା କରି ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଏ ତେବେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଭୁଶୁଡି ପଡିବ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ବିଭିନ୍ନ ସରକାରୀ ବିଭାଗ ବା ଜିଲ୍ଲାପାଳଙ୍କ ଦ୍ବାରା ଚୟନ କରାଯାଇଥିବା ଏଜେନ୍ସି ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ସଂପାଦନ ପାଇଁ ରହିଥିବା ନିୟମ ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରାଯାଉ। ଗ୍ରାମ ପଞ୍ଚାୟତ ଆଇନ ଓ ନିୟମାବଳୀ ଅନୁସାରେ ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Related Posts