ୱାନ୍ ନେସନ, ୱାନ ଇଲେକ୍ସନ; ୮ ଜଣିଆ କମିଟିରେ ଶାହ, ଅଧୀର, ଆଜାଦ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ଦେଶରେ ଏକକ ନିର୍ବାଚନ ପ୍ରସ୍ତାବ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା କମିଟିର ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଅନୁଧ୍ୟାନ ପାଇଁ ଗଠିତ ଉଚ୍ଚସ୍ତରୀୟ କିମିଟିରେ ରହିଛନ୍ତି ୮ ସଦସ୍ଯ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ପୂର୍ବତନ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜଦଙ୍କୁ ମଧ୍ୟ କମିଟିରେ ସ୍ଥାନ ମିଳିଛି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ପ୍ରଦାନ କରିଛି ।

ଶୁକ୍ରବାର ସରକାର ଏହି କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ଘୋଷଣା କରିଥିଲେ । ହେଲେ କମିଟିର ରୂପରେଖ, ସଦସ୍ୟଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନଥିଲା । ଆଜି ଆଇନ ମନ୍ତ୍ରଣାଳୟ ଏହି କମିଟିର ସଦସ୍ୟଙ୍କ ସଂଖ୍ୟା ସ୍ପଷ୍ଟ କରିଛି । ଏଥିରେ ମୋଟ ୮ ଜଣ ସଦସ୍ୟ ରହିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଅଧ୍ୟକ୍ଷତା କରିବାକୁ ଥିବା ବେଳେ କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ, ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ପୂର୍ବତନ ଲୋକସଭା ସଚିବ ସୁଭାଷ ସି.କଶ୍ୟପ ଓ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଆୟୁକ୍ତ ସଞ୍ଜୟ କୋଠାରୀ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ସଙ୍କଳ୍ପ ଅନୁଯାୟୀ ଏହି କମିଟି ବା ପ୍ୟାନେଲ୍ ଦେଶରେ ସାଧାରଣ ନିର୍ବାଚନ (ଲୋକସଭା) ରାଜ୍ୟ ବିଧାନସଭା ନିର୍ବାଚନ, ପୌରସଂସ୍ଥା ଏବଂ ପଞ୍ଚାୟତସ୍ତରରେ ଏକକାଳୀନ ନିର୍ବାଚନ କରିବା ପ୍ରସ୍ତାବକୁ ସମୀକ୍ଷା କରିବ । ଏହି ପ୍ୟାନେଲ ସମସ୍ତ ରାଜନୈତିକ ଦଳ ସହ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ମତାମତ ସଂଗ୍ରହ କରିବ । ପରେ ପ୍ରସ୍ତାବ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବ ।

ତେବେ ଗୁରୁବାର କେନ୍ଦ୍ର ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ୧୮ ତାରିଖରୁ ୨୨ ଯାଏଁ ଅଧିବେଶନ ଚାଲିବାକୁ ଥିବାବେଳେ ଏହାର କୌଣସି ଏଜେଣ୍ଡା ପ୍ରକାଶ କରାଯାଇନାହିଁ । ତେବେ ହଠାତ୍ ଏପରି ସଂସଦ ଅଧିବେଶନ ଡକାଯିବା ନେଇ ଏକକ ନିର୍ବାଚନ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ ଏହି ପ୍ରସ୍ତାବର ଅନୁଧ୍ୟାନ କରିବା ନେଇ ଘୋଷଣା କରିଥିଲେ । ପରେ କିମିଟରେ ମୋଟ ୮ ଜଣ ସଦସ୍ୟଙ୍କ ନାମ ସାମ୍ନାକୁ ଆସିଛି ।

Related Posts