ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ); ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ବସିବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ହେଲେ ଏନେଇ ପୂର୍ବରୁ କୌଣସି ସୂଚନା ନ ଥିବାବେଳେ ହଠାତ୍ ନୋଟିସ୍ ଜାରି କରାଯାଇଥିଲା। ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ କେଉଁ କାରଣରୁ ଏପରି ହଠାତ୍ ଅଧିବେଶନ ଡାକିବାର ଆବଶ୍ୟକତା ପଡ଼ିଲା ବୋଲି ଜାଣିବାକୁ ଚାହିଁଛନ୍ତି କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ସୋନିଆ ଗାନ୍ଧୀ।
ସେ ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେଥିରେ ଉଲ୍ଲେଖ କରି କହିଛନ୍ତି, ଆପଣ ୧୮ ସେପ୍ଟେମ୍ବର ୨୦୨୩ରୁ ସଂସଦର ଏକ ସ୍ୱତନ୍ତ୍ର ପାଞ୍ଚ ଦିନିଆ ଅଧିବେଶନ ଡକାଇଛନ୍ତି। ମୁଁ ସୂଚାଇ ଦେବି ଯେ ଅନ୍ୟ ରାଜନୈତିକ ଦଳମାନଙ୍କ ସହିତ କୌଣସି ପରାମର୍ଶ ନକରି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ବିଶେଷ ଅଧିବେଶନ ପଛର ଏଜେଣ୍ଡା ବାବଦରେ ଆମର କୌଣସି ଧାରଣା ନାହିଁ। ଏପରି ହଠାତ୍ ଅଧିବେଶନ ଡାକିବାର କାରଣ କଣ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି ସୋନିଆ। ଏହାସହିତ ଦେଶର ବର୍ତ୍ତମାନର ଅର୍ଥନୈତିକ ସ୍ଥିତି, ଅଦାନୀ ପ୍ରସଙ୍ଗରେ ଜେପିସି ଗଠନ, ମଣିପୁର ଓ ହରିୟାଣାରେ ଦେଖାଦେଇଥିବା ଦଙ୍ଗା ଭଳି ୯ ଟି ପ୍ରସଙ୍ଗରେ ଏହି ଅଧିବେଶନରେ ଆଲୋଚନା କରିବାକୁ ସେ ଦାବି କରିଛନ୍ତି |
ସୂଚନା ଅନୁସାରେ, ଅଗଷ୍ଟ ୩୧ରେ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ବିଶେଷ ଅଧିବେଶନ ନେଇ ହଠାତ୍ ଘୋଷଣା କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ୫ ଦିନ ଧରି ଅଧିବେଶନ ବସିବ ବୋଲି କହିଥିଲେ।





