୨୦୨୪ରେ ମନ୍ମଥ ଅଲବତ କଂଗ୍ରେସରୁ ନିର୍ବାଚନ ଲଢ଼ିବ: ସୁର ରାଉତରାୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି | ଏହାରି ଭିତରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରିବାରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି | କାରଣ ଗତକାଲି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରେ ଜଟଣୀରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିବାବେଳେ ଆଜି ସୁର ଏହାକୁ ଖଣ୍ଡନ କରିଛନ୍ତି |

ସୁର ସଫା ସଫା କହିଦେଇଛନ୍ତି ଯେ, ୨୦୨୪ରେ ମନ୍ମଥ ଅଲବତ କଂଗ୍ରେସରୁ ନିର୍ବାଚନ ଲଢ଼ିବ | ଜଟଣୀରୁ ମନ୍ମଥ ନିର୍ବାଚନ ଲଢ଼ିବେ | କଂଗ୍ରେସରୁ ନାମାଙ୍କନ ଭରିବ ଓ ମୁଁ ଯାହା କହିବି ସେୟା କରିବ | ବିଜେଡି ଓ ବିଜେପି ପକ୍ଷରୁ ମନ୍ମଥଙ୍କୁ ଉସୁକା ଯାଉଛି | ଏଆଇସିସି ନିୟମ ନ ମାନିଲେ ସସ୍ପେଣ୍ଡ କରିବାକୁ କହିଛି | ଦଳୀୟ ଶୃଙ୍ଖଳା ଭାଙ୍ଗିଛି, ସସ୍ପେଣ୍ଡ କରାଯାଉ ବୋଲି ସୁର କହିଛନ୍ତି|

ଉଲ୍ଲେଖ ଥାଉ କି ଗତକାଲି ମନ୍ମଥ କହିଥିଲେ ଯେ ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ମତକୁ ଆଧାର କରି ସେ କଂଗ୍ରେସରୁ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେଉଁ ଦଳରୁ ଲଢ଼ିବେ ସେ ସଂପର୍କରେ ଆସନ୍ତା ଅକ୍ଟୋବର ମାସରେ ଘୋଷଣା କରିବେ ବୋଲି କହିଥିଲେ ।

ମନ୍ମଥ କହିଥିଲେ ଯେ ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ମତ ରଖିଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛି। ଏହା ଗୋଟିଏ ଦିନର ନିଷ୍ପତ୍ତି ନୁହେଁ, ଭାବିଚିନ୍ତି ଏ ନିଷ୍ପତ୍ତି ନେଇଛି। ନିର୍ବାଚନମଣ୍ଡଳୀରେ ମଧ୍ୟ ଲୋକଙ୍କ ଭିତରେ ଏକପ୍ରକାର ଦ୍ବନ୍ଦ୍ବ ଦେଖା ଦେଇଥିଲା। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଏକାଧିକ ମତ ରହିଛି। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଲୋକଙ୍କ ମତ ଜାଣିସାରିଲିଣି। ଆସନ୍ତା ଅକ୍ଟୋବର ମାସରେ ଏହା ସଂପର୍କରେ ଘୋଷଣା ହେବ।ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସରୁ ପ୍ରାର୍ଥୀ ହେବି କି ନାହିଁ ସେ ସଂପର୍କରେ ବାପାଙ୍କ ସହ ଆଲୋଚନା କରିଥିଲି। ବାପା କିନ୍ତୁ ମୋ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିଲେ ।

Related Posts