ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଫଟୋ ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଧୋନୀ ଆଉ ଟ୍ରମ୍ପ ଉଭୟ ନ୍ୟାସନାଲ ଗଲ୍ଫ କ୍ଲବରେ ଏକାଠି ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି ।
ଧୋନୀଙ୍କ ବନ୍ଧୁ ହିତେଶ ସାଙ୍ଘବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଆଉ ଏହି ପୋଷ୍ଟରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ, ଧୋନୀ-ଟ୍ରମ୍ଫ ଏକାଠି ହେଇ ଗଲ୍ଫ ଖେଳୁଥିବାର ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂହ ଧୋନୀ ନିକଟରେ ତାଙ୍କ ଆଣ୍ଠୁର ସର୍ଜରୀ କରିଛନ୍ତି । ଆଇପିଏଲ୍ ଖେଳିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଯାହା ପରେ ସେ ମୁମ୍ବାଇରେ ଏହି ସର୍ଜରୀ କରିଥିଲେ । ତେବେ ଗଲ୍ଫ ପଡିଆରେ ଧୋନୀ ଖେଳୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ଏବେ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେଶ ଉତ୍ସାହିତ ହୋଇପଡିଛନ୍ତି ।





