ମାଲକାନଗିରି, (ସତ୍ୟପାଠବ୍ୟୁରୋ): ଗୋଟିଏ ପଟେ ଗର୍ଭ ଯନ୍ତ୍ରଣାରେ ଛଟପଟ। ଆଉ ଗୋଟିଏ ପଟେ ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଅପେକ୍ଷା। ୪ ଘଣ୍ଟା ଅପେକ୍ଷା ପରେ ଟାଟା ମ୍ୟାଜିକ୍‌ରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତର ତମଗୁଡ଼ା ଗାଁରୁ ଆସିଛି ଏଭଳି ଅଭିଯୋଗ। ଗାଁର ଦୁର୍ଗୀ ବେକ ନାମକ ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣାରେ ଥିବାବେଳେ କାଲିମେଳା ମେଡିକାଲ ଯିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ଗାଁର ଆଶା ଦିଦି ଦିନ ୩ଟାରୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସନ୍ଧ୍ୟା ୭ଟା ଯାଏଁ ଆମ୍ବୁଲାନ୍ସ ପହଞ୍ଚି ନଥିଲା। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ରାତିରେ ଏକ ଟାଟା ମ୍ୟାଜିକ୍ ଭଡ଼ା କରି ମହିଳାଙ୍କୁ ପ୍ରାୟ ୩୦ କିମି ଦୂର କାଲିମେଳା ମେଡିକାଲକୁ ନେଇଥିଲେ । ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ସେବା ନମିଳିବାକୁ ନେଇ ପ୍ରଶ୍ନ ଉଠିଛି ।