ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା 2024 ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବେନାହିଁ ବୋଲି ଗଣମାଧ୍ୟମରେ ବିବୃତ୍ତି ଦେବାପରେ, ଆଜି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ | ନିଜ ବିବୃତ୍ତି ନେଇ ଗତକାଲି ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ ସେ ତାହାର ଉତ୍ତର ଦେଇ ନଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।
ସେପଟେ ନିଲମ୍ବନ ପରେ ଦଳକୁ ତାଚ୍ଛଲ୍ୟ କରିବା ସହିତ ସନ୍ତୋଷ ସିଂହ ସାଲୁଜାଙ୍କ ଉପରେ ବର୍ଷିଛନ୍ତି ମନ୍ମଥ। କହିଛନ୍ତି, ମୁଁ ସନ୍ତୋଷ ସିଂ ସାଲୁଜାଙ୍କୁ ଜଣେ ବିଜ୍ଞ ବ୍ୟକ୍ତି ବୋଲି ଭାବୁଥିଲି । ହେଲେ ମୋ ବ୍ୟାକ୍ଗ୍ରାଉଣ୍ଡ ନଜାଣି ମୋତେ କିଭଳି ପିସିସି ସଦସ୍ୟ କରିଥିଲେ ? ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ, ଏକଥା ପ୍ରଥମେ ଭେରିଫାଏ କରିବାକଥା ।ପ୍ରଥମେ ତ ମୋତେ ସଦସ୍ୟ କରିବା ତାଙ୍କର ଭୁଲ୍ ଥିଲା, ଏବେ ନିଲମ୍ବନ କରି ପୁଣି ଏକ ଭୁଲ୍ କରିଛନ୍ତି । ଏଭଳି ନିଲମ୍ବନ ଦର୍ଶାଉଛି ଯେ, ଶୃଙ୍ଖଳା କମିଟି କୌଣସି ଯାଞ୍ଚ କରୁନାହିଁ । ସେ ଆହୁରି କହିଛନ୍ତି ଯେ, ନିଲମ୍ବନ କରି ଏହି ଭୁଲ କରନ୍ତୁ ବୋଲି ମୁଁ ଚାହୁଁଥିଲି । ଯାହା ବି ହେଲା ଭଲ ହେଲା । ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ । ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ବୋଲି ମନ୍ମଥ କହିଛନ୍ତି।
ଅନ୍ୟପଟେ ମନ୍ମଥ ନିଜେ ପିସିସିର ସଦସ୍ୟ ନଥିବା କହୁଥିବା ବେଳେ ଶୃଙ୍ଖଳା କମିଟି କିଭଳି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ତାହା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି |





