ପ୍ରତାପଙ୍କ ବାଣର ଜବାବ ପାଣ୍ଡିଆନଙ୍କୁ ବିନ୍ଧିଲେ ସୌମ୍ୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ | ପ୍ରତିଦିନ ସୌମ୍ୟଙ୍କୁ ନିଜ ଦଳ ଭିତରୁ ଟାର୍ଗେଟ କରାଯାଉଥିବା ବେଳେ ଆଜି ସୌମ୍ୟଙ୍କୁ ସବାଡ଼ କରିବାକୁ ସାମ୍ନାକୁ ଆସିଥିଲେ ମନ୍ତ୍ରୀ ପ୍ରତାପ ଦେବ | ପ୍ରତାପ ସୌମ୍ୟଙ୍କୁ ବ୍ଲାକମେଲର ବୋଲି କହିବା ସହିତ ସମାଲୋଚନା କରିବାର ଥିଲେ ଦଳ ଛାଡି ସୌମ୍ୟ ମନ୍ତବ୍ୟ ଦିଅନ୍ତୁ ବୋଲି କହିଥିଲେ |

ଆଉ ଏହାର ଜବାବରେ ସୌମ୍ୟ ପ୍ରତାପଙ୍କୁ ଧୋଇବା ସହିତ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି | ‘ମୁଁ ଦଳ କାହିଁକି ଛାଡ଼ିବି, ପ୍ରତାପଙ୍କ କଥା କଣ ବେଦର ଗାର କି ବୋଲି ସେ ପ୍ରଶ୍ନ କରିଛନ୍ତି | ଯଦି ନିଲମ୍ବନ କରିବାର ଅଛି ତାହେଲେ ଦଳ ନିଲମ୍ବନ କରୁ ବୋଲି କହି ସୌମ୍ୟ ଚ୍ୟାଲେଞ୍ଜ କରିଛନ୍ତି |

ସେପଟେ ସୌମ୍ୟ ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ବୋଲି ପ୍ରତାପ ପ୍ରଶ୍ନ କରିଥିବା ବେଳେ ଏହାର ଜବାବରେ ଦଳୀୟ ଫୋରମ କେଉଁଠି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି | ଦଳୀୟ ଫୋରମ କଣ ତୃତୀୟ ମହଲାରେ ଅଛି କି ପଚାରିବା ସହ, ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ ବୋଲି ସୌମ୍ୟ କହିଛନ୍ତି | ଆମ ଦଳରେ କଣ କେହି ନେତା ନାହାନ୍ତି କି ବୋଲି ପ୍ରଶ୍ନ କରିବା ସହିତ ସଚିବଙ୍କର ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଛା, ତେବେ ଇସ୍ତଫା ଦେଇ ଆସନ୍ତୁ ବୋଲି ସୌମ୍ୟ କହିଛନ୍ତି |

ତେବେ ସୌମ୍ୟଙ୍କୁ ନିଜ ଦଳ ଭିତରୁ ଘନ ଘନ ଆକ୍ରମଣ ପରେ, ସେ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଓ ଚାକିରି ଛାଡି ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଛନ୍ତି | ଏହାର ଜବାବ ରେ ବିଜେଡି କଣ କାଉଣ୍ଟର ଜବାବ ରଖୁଛି ତାହା ଦେଖିବାକୁ ବାକି ରହିଲା |

Related Posts