ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଲିଉଡ ତଥା ଓଲିଉଡର ନାଁ କରା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢିଛି | ସୌରିନଙ୍କ ଆଗୁଆ ଜାମିନ ଆବେଦନକୁ କିଛିଦିନ ତଳେ ହାଇକୋର୍ଟ ଖାରଜ କରିଥିବାବେଳେ ଆଜି ସୌରିନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି କମିଶନରେଟ ପୁଲିସ | ମିଳିଥିବା ସୂଚନା ମୁତାବକ ସୌରିନଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା | ହେଲେ ପୁଲିସ ଟିମ୍ ସୌରିନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା | କୋଲକାତାର ତିନୋଟି ସ୍ଥାନରେ ସୌରିନଙ୍କୁ ଖୋଜିବାକୁ ପୁଲିସ ପ୍ରୟାସ କରିଥିବାବେଳେ ସଫଳ ହୋଇନଥିଲା |
ସୂଚନାଯୋଗ୍ୟ ଯେ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କୋଲକାତା ସହରର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ଆଉ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ।
ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ ସୌରିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ତେବେ ଅଗଷ୍ଟ ୨୬ରେ ପୁଣି ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା | ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୌରିନଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା। ଏଥି ସହିତ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ସୌରିନ ପୁଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଅଗଷ୍ଟ ୩୦ରେ ନିଜ ରାୟରେ ଜାମିନ ଆବେଦନକୁ ଖାରଜ କରିଥିବାର କହିଥିଲେ | ଏହାପରେ ତାଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା |





