ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାନ ସୌମ୍ୟଙ୍କ ସପକ୍ଷରେ ବାହାରିଲେ ବଡ଼ଭାଇ ନିରଞ୍ଜନ। ସୌମ୍ୟଙ୍କ ସମ୍ପାଦକୀୟ ଲେଖା ଓ ବୟାନ୍କୁ ସମର୍ଥନ କରିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ।
ସେ କହିଛନ୍ତି ଯେ, ଆମେ ପରିବାର ଭିତରେ ତା’ (ସୌମ୍ୟ) ମୁହଁ କେହି ବନ୍ଦ କରିପାରିନୁ। ସମ୍ପାଦକ ହିସାବରେ ସେ ଯାହା ଲେଖିଲେ, ତାକୁ ଗ୍ରହଣ କରିବ ନହେଲେ ନାହିଁ। କିନ୍ତୁ ସମ୍ପାଦକ ଓ ରାଜନୈତିକ ଦଳର ବ୍ୟକ୍ତିକୁ ମିଶାଇ ଦେବା ଠିକ୍ ନୁହେଁ। ବିଜେଡି ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଓ ଏହାର ମାଲିକ ନବୀନ ବାବୁ। ସେ ଗୁମାସ୍ତାଙ୍କୁ ନେଇ ଶାସନ ଚଳାଇବେ ନା ମନ୍ତ୍ରୀଙ୍କୁ ନେଇ ଚଳେଇବେ, ତାହା ତାଙ୍କ ନିଷ୍ପତ୍ତି ବୋଲି ନିରଞ୍ଜନ କହିଛନ୍ତି।
ସେ ଆହୁରି କହିଛନ୍ତି, ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି, ତାକୁ ବିଜେଡିରୁ ବାହାର କରି ଦେଉନାହାନ୍ତି କାହିଁକି? କଂଗ୍ରେସରେ ଥିବା ବେଳେ ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରିଥିଲେ। ତାହା ହୁଏ ତ କଂଗ୍ରେସ ନେତାଙ୍କୁ ଭଲ ଲାଗିଲା ନାହିଁ। ତେଣୁ ଦଳରୁ ବାହାର କରାଗଲା। ଏବେ ବିଜେଡିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଛି। ତାକୁ ନେଇ ବିଜେଡି ଭାଇମାନେ ଅସହିଷ୍ଣୁ ହେଲାଣି। ରାଜନୈତକ ପ୍ରସଙ୍ଗରେ ମୁଁ ସୌମ୍ୟ ବାବୁଙ୍କ ସହ ଆଲୋଚନା କରେନାହିଁ ବୋଲି ନିରଞ୍ଜନ କହିଛନ୍ତି।





