ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାମ ମନ୍ଦିର ଉଦ୍ଘାଟନ ପ୍ରସଙ୍ଗରେ ଏକ ବଡ଼ ଟିପ୍ପଣୀ ରଖିଛନ୍ତି। ଉଦ୍ଧବଙ୍କର ଏହି ଟିପ୍ପଣୀ ଏକ ଚେତାବନୀ ସଦୃଶ। ମହାରାଷ୍ଟ୍ରର ଜଲ୍ଗାଓଁରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଉଦ୍ଧବ କହିଛନ୍ତି, ଆସନ୍ତା ଜାନୁୟାରୀ ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ହେବ। ତେବେ ରାମ ମନ୍ଦିର ନାଁରେ ଗୋଧ୍ରା ଭଳି ସ୍ଥିତି ପାଇଁ ଷଡ଼୍ଯନ୍ତ୍ର ହୋଇଛି।
ରାମ ମନ୍ଦିର ଉଦ୍ଘାଟନ ପାଇଁ ଦେଶବ୍ୟାପୀ ହଜାର ହଜାର ସାଧୁଙ୍କୁ ନିମନ୍ତ୍ରଣ କରାଯିବ। ସେମାନେ ବସ୍ ଏବଂ ଟ୍ରେନ୍ରେ ଅଯୋଧ୍ୟା ଆସିବେ। ତେବେ ରାମ୍ ମନ୍ଦିର ଉଦ୍ଘାଟନ କାର୍ଯ୍ୟ ଶେଷ କରି ସେମାନେ ଫେରିବା ସମୟରେ ବାଟରେ ଯେକୌଣସି ସମୟରେ ଗୋଧ୍ରା ଭଳି ସ୍ଥିତି ଉପୁଜିପାରେ। କିଛି ସ୍ଥାନରେ ବସ୍ ଜାଳି ଦିଆଯିବ ଏବଂ ପଥର ମାଡ଼ କରାଯିବ। ଗଣହତ୍ୟା ହୋଇପାରେ। ଦେଶ ପୁଣିଥରେ ଜଳିବ ଏବଂ ଏହି ନିଆଁରେ କିଛି ଲୋକ ସେମାନଙ୍କ ରାଜନୈତିକ ରୁଟି ସେକିବେ ବୋଲି ଉଦ୍ଧବ କହିଛନ୍ତି।
ତେବେ ଉଦ୍ଧବଙ୍କର ଏହି ଟିପ୍ପଣୀ ପାଇଁ ବିଜେପି ତାଙ୍କ ଉପରେ ପ୍ରବଳ ବର୍ଷିଛି। ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ମୋଦୀଙ୍କ ବିରୋଧରେ ଗଢ଼ାଯାଇଥିବା ମେଣ୍ଟ ଭୋଟ୍ ପାଇଁ ଯେକୌଣସି ସ୍ତରକୁ ବି ଯାଇପାରିବ। ସେମାନଙ୍କୁ ପ୍ରଭୁ ଶ୍ରୀରାମ ଜ୍ଞାନ ଦିଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଟିପ୍ପଣୀ । ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଉଦ୍ଧବ କ୍ଷମତା ଲୋଭରେ ଯାହା କରୁଛନ୍ତି ସେଥିରେ ତାଙ୍କ ସ୍ବର୍ଗତ ବାପା ବାଲାସାହେବ ଠାକ୍ରେ କ’ଣ ଭାବୁଥିବେ ମୁଁ ଜାଣିନାହିଁ ।
ଉଲ୍ଲେଖଯୋଗ୍ୟ ଯେ, ୨୦୦୨ ଫେବ୍ରୁଆରିରେ ଗୁଜରାଟର ଗୋଧ୍ରା ରେଳ ଷ୍ଟେସନ୍ରେ ସାବରମତୀ ଏକ୍ସପ୍ରେସ୍ର କିଛି ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୫୮ ସାଧୁଙ୍କର ମୃତ୍ୟୁ ହୋଇଥିଲା। ସେମାନେ ସମସ୍ତେ ଅଯୋଧ୍ୟାରୁ ଫେରୁଥିବାବେଳେ ଏହି ଘଟଣା ଘଟିଥିଲା।





