‘ବିଜେପି ବିଷଧର ସାପ ଭଳି’: ଉଦୟନିଧିଙ୍କ ଆଉ ଏକ ବିବାଦୀୟ ବୟାନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ‘ସନାତନ ଧର୍ମ’ ଉପରେ ବିବାଦୀୟ ଟିପ୍ପଣୀ ପରେ ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉଦୟନିଧି ବିଜେପିକୁ ‘ବିଷଧର ସାପ’ ସହ ତୁଳନା କରିଛନ୍ତି। ରବିବାର ଦିନ ତାମିଲନାଡ଼ୁର ନେଭେଲିରେ ଡିଏମ୍‌କେ ବିଧାୟକ ସଭା ରାଜେନ୍ଦ୍ରନଙ୍କ ବିବାହ ଉତ୍ସବରେ ଯୋଗଦେଇ ଉଦୟନିଧି ଷ୍ଟାଲିନ୍‌ ବିଜେପି ବିରୋଧରେ ଏହି ଟିପ୍ପଣୀ ଦେଇଛନ୍ତି। ସେ ମଧ୍ୟ ବିରୋଧୀ ଏଆଇଏଡିଏମ୍‌କେକୁ ଅଳିଆ କହିଛନ୍ତି। ଡିଏମ୍‌କେ ଉପ ସାଧାରଣ ସମ୍ପାଦକ ଏ ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାପ ସହ ତୁଳନା କରିବାପରେ ଷ୍ଟାଲିନ ଏହି ଟିପ୍ପଣୀ ଦେଇଛନ୍ତି।

ଷ୍ଟାଲିନ କହିଛନ୍ତି, ଯଦି ଆପଣଙ୍କ ଘରେ ଏକ ବିଷଧର ସାପ ପଶିଛି ତେବେ ଆପଣ କେବଳ ଏହାକୁ ଘରୁ କାଢ଼ିଦେବା ଯଥେଷ୍ଟ ହେବନାହିଁ। କାରଣ ଏହା ଆପଣଙ୍କ ଘରୁ ବାହାରିଯାଇ ଘର ନିକଟରେ ଥିବା ଅଳିଆ ଗଦା କିମ୍ବା ବୁଦାରେ ଲୁଚିଯାଇପାରେ ଏବଂ ପୁଣିଥରେ ଆପଣଙ୍କ ଘରକୁ ଫେରିପାରେ। ଷ୍ଟାଲିନ କହିଛନ୍ତି, ଏବେ ଆମେ ଏହାକୁ ବର୍ତ୍ତମାନ ସ୍ଥିତି ସହ ତୁଳନା କରିବା । ତାମିଲନାଡ଼ୁକୁ ମୁଁ ଆମ ଘର ବିବେଚନା କରୁଛି। ବିଜେପିକୁ ବିଷଧର ସାପ ଏବଂ ଏଆଇଏଡିଏମ୍‌କେକୁ ଆମ ଘର ନିକଟ ଅଳିଆ ମନେ କରୁଛି। ଅଳିଆ ଆବର୍ଜନା ସଫା ନକରିବା ପର୍ଯ୍ୟନ୍ତ ଆପଣ ବିଷଧର ସାପକୁ ଘଉଡ଼ାଇ ପାରିବେନି। ତେଣୁ ବି‌ଜେପି ଭଳି ବିଷଧର ସାପଠାରୁ ବଞ୍ଚିବାକୁ ହେ‌ଲେ ଏଆଇଏଡିଏମ୍‌କେ ଭଳି ଅଳିଆକୁ ପ୍ରଥମେ ହଟାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ତୁଳନା କରି ବିବାଦ ସୃଷ୍ଟି କରିଥିଲେ।

Related Posts