ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି। ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି କ୍ୟାମ୍ପେନ ମୁଡରେ ପ୍ରଚାର କରିବା ପାଇଁ ଆଜି ଆହ୍ଵାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳା ସଂରକ୍ଷଣ ବିଲ ପାରିତ ହେବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବାପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଯୋଗ ଦେବା ଅବସରରେ ଏହି ଆହ୍ୱାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସେ କହିଛନ୍ତି, ଲୋକସଭାରେ ବର୍ତ୍ତମାନ ୮୧ ଜଣ ମହିଳା ସାଂସଦ ଅଛନ୍ତି, ଆଇନ ଲାଗୁ ହେଲେ ଏହା ୧୮୨କୁ ବଢ଼ିବ | ସେହିପରି ଓଡ଼ିଶାରେ ଏବେ ୧୮ ଜଣ ବିଧାୟିକା ଅଛନ୍ତି, ଆଇନ ଲାଗୁ ହେବାପରେ ଏହା ୫୦କୁ ବୃଦ୍ଧି ପାଇବ। ଭାରତରେ ୭୦ କୋଟି ମହିଳା। ଯାହାକି ୨ଟି ଆମେରିକାର ଜନସଂଖ୍ୟା ସହ ସମାନ। ଅଢ଼େଇଟି ୟୁରୋପ ସହ ସମାନ। ୩୩ ପ୍ରତିଶତ ସଂରକ୍ଷଣ ଆରମ୍ଭ ହେଲେ, ମାଆମାନେ ଦିଲ୍ଲୀରେ ପ୍ରତିନିଧିତ୍ବ କରିବେ । ବିବେକପୂର୍ଣ୍ଣ ନିର୍ଣ୍ଣୟ ମହିଳା ଓ ମା’ମାନେ କରନ୍ତି। ଏହା ପବିତ୍ର ଦୁର୍ଗାପୂଜା ଅବସରରେ ମୋଦୀ ସରକାରଙ୍କ ବଡ଼ ଉପହାର। ଏଥିସହ ମହିଳା ସଂରକ୍ଷଣ ବିଲ୍ ପାରିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।





