ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନକୁ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ତୀବ୍ର ଯୁକ୍ତିତର୍କ ହୋଇଛି । ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ‘ଜୋନ୍ ଅଫ୍ କନ୍ସିଡରେସନ୍’ରୁ ବାଦ୍ ଦିଆଯିବା, ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ଏବଂ କିଛି ଅଧିକାରୀଙ୍କ ପଦୋନ୍ନତି ପରେ ତାଲିକାରେ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ୍ ଯୁକ୍ତି ରଖି କହିଥିଲେ ଯେ, ଡିଜିପି ଚୟନ ପାଇଁ ୟୁପିଏସ୍ସିର ଏମ୍ପାନେଲମେଣ୍ଟ ବୈଠକ ଘୁଞ୍ଚାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ଏହାପରେ ସୁଶାନ୍ତ ନାଥଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ଅଟକାଇ ରଖାଯାଇଥିବା ସେ ଦାବି କରିଥିଲେ ।
ଏହାସହ ଦୁଇଟି ଅସ୍ଥାୟୀ ଏକ୍ସ-କ୍ୟାଡର ପଦବୀ ସୃଷ୍ଟି କରି କିଛି ଅଧିକାରୀଙ୍କ ପଦୋନ୍ନତିର ବାଟ ଖୋଲାଯାଇଥିବା ଚିଦମ୍ବରମ୍ ଯୁକ୍ତି ରଖିଥିଲେ । ଏହି ପଦକ୍ଷେପଗୁଡ଼ିକର କ୍ରମ ଉପରେ ପ୍ରଶ୍ନ ଉଠାଇ ନାଥଙ୍କୁ ଚୟନ ପରିସରରୁ ବାଦ୍ ଦେବା ନେଇ ଯୁକ୍ତି ରଖିଥିଲେ । ସୁଶାନ୍ତ ନାଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କରୁଣା ନୁନ୍ଦୀ କହିଥିଲେ ଯେ, ନାଥଙ୍କର ୩୨ ବର୍ଷର ସେବା ଜୀବନ ରହିଛି । ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍କୁ ଅଟକାଇବା କିମ୍ବା ପ୍ରତ୍ୟାହାର କରିବାର ଆଧାର ନେଇ ସେ ପ୍ରଶ୍ନ ଉଠାଇଥିଲେ ।
ଓଡ଼ିଶା ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହତା ପକ୍ଷ ରଖିଥିଲେ । ଶୁଣାଣି ବେଳେ ଏପ୍ରିଲ ଓ ମେ’ରେ ପ୍ରସ୍ତୁତ ତାଲିକା, ଡିଜି ପାହ୍ୟାର ଅଧିକାରୀଙ୍କ ଉପଲବ୍ଧତା ଏବଂ ପରବର୍ତ୍ତୀ ପଦୋନ୍ନତି ପରେ ତାଲିକାରେ ହୋଇଥିବା ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା । ‘ଜୋନ୍ ଅଫ୍ କନ୍ସିଡରେସନ୍’ର ବାସ୍ତବ ସ୍ଥିତି ନେଇ ମଧ୍ୟ ଖଣ୍ଡପୀଠ ସ୍ପଷ୍ଟତା ଚାହିଁଥିଲେ । ସୁଶାନ୍ତ ନାଥଙ୍କୁ ବାଦ୍ ଦିଆଯିବା ପରେ ମୂଳ ତାଲିକାରେ ଥିବା ଦୁଇଜଣ ଡିଜି ପାହ୍ୟାର ଅଧିକାରୀ ଉପଲବ୍ଧ ରହିବେ ଏବଂ ପରେ ଆଉ ଦୁଇଜଣଙ୍କ ନାମ ଯୋଡ଼ାଯାଇଥିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ମଙ୍ଗଳବାର ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ମାମଲାର ଶୁଣାଣିକୁ ବୁଧବାର ପାଇଁ ମୁଲତବୀ ରଖିଛନ୍ତି ।
