ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୋ ଦଳର ମହାସଚିବ ତଥା ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀ ପ୍ରତିବାଦରେ ଆସନ୍ତା ନଭେମ୍ବର ୨ ତାରିଖରେ ରାଜ୍ୟବ୍ୟାପୀ ଭୁବନେଶ୍ୱର ଓ ସମସ୍ତ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ମୋ ଦଳ। ପ୍ରଦୀପଙ୍କ ଗିରଫଦାରୀ ନବୀନ ସରକାର ଓ ଭିକେ ପାଣ୍ଡିଆନଙ୍କ କାୟରତା ଓ ଡରକୁ ପଦାରେ ପକାଇଛି ବୋଲି କହିବା ସହିତ ଏହି ପ୍ରତିବାଦର ଘୋଷଣା କରିଛନ୍ତି ମୋ ଦଳର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଅକ୍ଷୟ କୁମାର କହିଛନ୍ତି ଯେ, ମୋ ଦଳ ପକ୍ଷରୁ ଗତ ୨୮ ତାରିଖରେ ଭିକେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ଓ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତିକୁ ପ୍ରଦୀପ ଓଡ଼ିଶା ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହି ସମାଲୋଚନା କରିଥିଲେ। ଏହାର ୧୨ ଘଣ୍ଟା ନ ପୁରୁଣୁ ରାତି ୧୦ ଟାରେ ମହିଳା ଥାନା ପୋଲିସ ପ୍ରଦୀପ ଙ୍କୁ ଉଠାଇ ନେଲା। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ କାୟରତା ଓ ଡରକୁ ପଦାରେ ପକାଇଛି। ୨୦୨୧ ରେ ଦୂତୀ ଚାନ୍ଦ କରିଥିବା ଏକ ଅଭିଯୋଗ ଆଧାରରେ ପ୍ରଦୀପ ଙ୍କୁ ଗିରଫ କରାଯାଇଥିବା କୁହାଯାଉଛି, ହେଲେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଦୂତୀଙ୍କର ବୁଝାମଣା ହୋଇ ସାରିଥିବା ବେଳେ ଏବେ ଦୁଇ ବର୍ଷ ପରେ ପ୍ରଦୀପ ଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି।
ନିକଟ ଅତୀତରେ ମୋ ଦଳ ପକ୍ଷରୁ ହୋଇଥିବା ବିଧାନସଭା ଘେରାଉ ଓ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି କେଳେଙ୍କାରୀ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେବା ପରେ ସରକାରଙ୍କ ପକ୍ଷରୁ ଚକ୍ରାନ୍ତ କରି ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି। ଏଥିରୁ ପ୍ରମାଣିତ ହେଉଛି ଯେ, ଗତ ୨ ମାସ ହେବ କାର୍ଯ୍ୟ ଆରମ୍ଭ କରିଥିବା ‘ମୋ ଦଳ’ ଏବେ ବିଜେଡି ସରକାର ପାଇଁ ଆହ୍ବାନ ହୋଇ ଛିଡା ହୋଇଛି। ସରକାର ଆମକୁ ଯେତେ ଦବାଇବାକୁ ଚେଷ୍ଟା କଲେ ବି ଆମେ ଦବିବୁ ନାହିଁ ବୋଲି ଅକ୍ଷୟ କୁମାର କହିଛନ୍ତି । ଏହାସହିତ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ପୋଲିସ ନାରୀକୁ ଉଚିତ୍ ସମ୍ମାନ ଦେଇ ପରୀ, ବେବିନା, ଇତିଶ୍ରୀ ଓ ମାଧବୀଲତା କୁ ନ୍ୟାୟ ଦେବାର ପଦକ୍ଷେପ ନିଅନ୍ତୁ ଏବଂ ପ୍ରଦୀପ ପ୍ରଧାନଙ୍କୁ ନିସର୍ତ୍ତ ମୁକ୍ତ କରନ୍ତୁ। ପ୍ରଦୀପଙ୍କ ଗିରଫ ପ୍ରତିବାଦରେ ଆସନ୍ତା ନଭେମ୍ବର ୨ ତାରିଖରେ ରାଜ୍ୟ ବ୍ୟାପୀ ଭୁବନେଶ୍ୱର ଓ ସବୁ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ‘ମୋ ଦଳ’ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ବୋଲି ଅକ୍ଷୟ କୁମାର ଘୋଷଣା କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ମୋ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ତଥା ମୁଖପାତ୍ର ଶେଷଦେବ ନନ୍ଦ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ, ଉପସଭାପତି ଡ. କୁଳମଣୀ ଓ ରାଜ୍ୟ ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।





