ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଆଜି ଜାମିନ ମିଳିଛି | ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ କୋର୍ଟ ସଂରକ୍ଷିତ ରଖିଥିଲେ | ଆଉ ଆଜି ଏସଡିଜେଏମ କୋର୍ଟ ଟୁଟୁଙ୍କୁ ଜାମିନ ଦେଇଛନ୍ତି | ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି |
ସୂଚନାଯୋଗ୍ୟ ଯେ, ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ | ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା |‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କମ୍ପ୍ଲେକ୍ସ ଭିତରେ ଏହି ଘଟଣା ଘଟିଥିଲା | ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ମାମଲା ହୋଇଥିଲା ଆଉ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା |





