ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍ ୧୪ ତାରିଖରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହି ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖରୁ ବର୍ଷା ହେବ । ୧୫ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ବର୍ତ୍ତମାନ ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖୁଲା ରହିବ । ରାତି ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ ବୋଲି ସୂଚନା ମିଳିଛି ।
ତେବେ ଶୀତ ଦିନରେ ଆସୁଛି ବଡ଼ ବର୍ଷା । ଆସନ୍ତା ୧୪ନଭେମ୍ବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି।





