ଘରୋଇ ବସ୍ ମାଲିକ ବନାମ RTO; ବିଧାନସଭା ଆଗରେ ଧାରଣା ଦେବା ପରେ ଆରମ୍ଭ ହେଲା ବସ୍ ଯାଞ୍ଚ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଧାରଣା ଦେବାରୁ ଆରମ୍ଭ ହେଲା ଧରପକଡ | ଏଭଳି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ | ଗତ 22 ତାରିଖରେ ଲକ୍ଷ୍ମୀ ବସ୍ ଓ ମୋ ବସ୍ ଚଳାଚଳକୁ ବିରୋଧ କରି ଲୋୟର ପିଏମଜିରେ ଧାରଣା ଦେଇଥିଲେ ଘରୋଇ ବସ୍ ମାଲିକ । ଆଉ ଧାରଣା ପରେ ସରକାର ଆକ୍ରୋଶ ମୂଳକ ଭାବେ ଘରୋଇ ବସ୍ ଗୁଡିକ ଉପରେ ଅଚାନକ ଚେକିଂ ଏବଂ ଜରିମାନା ଆଦାୟ ଆରମ୍ଭ କରି ଦେଇଛନ୍ତି | ଦିନକ ଭିତରେ ରାଜ୍ୟର ପ୍ରାୟ ୧୫ ଶହ ବସରୁ ବିଭିନ୍ନ କାରଣ ପାଇଁ ଲକ୍ଷାଧିକ ଟଙ୍କାର ଫାଇନ ଆଦାୟ କରାଯାଇଛି । ଆଉ ହଠାତ୍ ପରିବହନ ବିଭାଗର ଏହି ଚେକିଂକୁ ନେଇ ପ୍ରଶ୍ନ ଉଠାଇଛି ମାଲିକ ସଂଘ ।

ତେବେ ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ଓ ଗ୍ରାମାଂଚଳରେ ମୋ ବସ୍ ଚଳାଚଳକୁ ବିରୋଧ କରି ଗତ 22 ତାରିଖରେ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କୁ ଚେତାବନୀ ଘରୋଇ ବସ୍ ମାଲିକ । ଲକ୍ଷ୍ମୀ ବସ୍ ଯୋଜନାରେ ଘରୋଇ ବସ୍ ଗୁଡିକୁ ସାମିଲ କରିବାକୁ ସେମାନେ ଦାବି କରିଥିଲେ । ଏନେଇ ଚଳିତ ମାସ ଶେଷ ସୁଦ୍ଧା ସରକାର କିଛି ନିଷ୍ପତି ନନେଲେ ଡିସେମ୍ବର ୧ରୁ ଧର୍ମଘଟ କରିବେ ବୋଲି କହିଥିଲେ ବସ୍ ମାଲିକ । କିନ୍ତୁ ଚେତାବନୀ ଦେବାର କିଛି ଘଂଟା ପରେ ବସ୍ ମାଲିକ ସଂଘ ପକ୍ଷରୁ ସାଂଘାତିକ ଅଭିଯୋଗ ଅଣାଯାଇଛି । ସମସ୍ୟାର ସମାଧାନ କରିବା ପରିବର୍ତେ ଆକ୍ରୋଶ ମୂଳକ ଭାବେ ଘରୋଇ ବସ୍ ଗୁଡିକୁ ରାସ୍ତାରେ ଅଟକାଇ ଆରଟିଓ ଫାଇନ୍ ଆଦାୟ କରାଯାଉଥିବା ଅଭିଯୋଗ କରିଛି ସଂଘ । ତେବେ ଏନେଇ ପରିବହନ ମନ୍ତ୍ରୀ କିମ୍ବା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

Related Posts