ପାଖେଇଲା ଡେଡଲାଇନ୍; କେବେ ଘୋଷଣା ହେବ ପଦ୍ମପୁର ଜିଲ୍ଲା?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଶେଷ ସୁଦ୍ଧା ପଦ୍ମପୁରକୁ ଏକ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ। ଆଉ ଉପନିର୍ବାଚନ ଜିତିବା ପରେ ଗତ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯାଇ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଦୋହରାଇଥିଲେ। ବର୍ଷେ ମଧ୍ୟରେ ନୂଆ ପଦ୍ମପୁର ଜିଲ୍ଲା ରୂପ ନେବ ବୋଲି କହିଥିଲେ । ହେଲେ ଏବେ ବର୍ଷ ସରିବାକୁ ଆଉ ମାତ୍ର ଏକ ମାସ ସମୟ ବାକି ଥିବାବେଳେ ଏପର୍ଯ୍ୟନ୍ତ ପଦ୍ମପୁର ଜିଲ୍ଲା ଘୋଷଣା ହୋଇନାହିଁ |

ତେବେ ୩୦ ବର୍ଷ ପୂର୍ବେ ୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡ଼ିଶାର ୧୩ ଜିଲ୍ଲା ୩୦କୁ ବୃଦ୍ଧି ପାଇଥିଲା। ସେତିକିବେଳେ ଆଉ କିଛି ନୂଆ ଜିଲ୍ଲାର ଦାବି ଉଠିଥିଲେ ବି ବିଭିନ୍ନ କାରଣରୁ ହୋଇପାରି ନଥିଲା। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଭଳି ୩ଟି ବଡ଼ ଜିଲ୍ଲା ଆଦୌ ଭାଗ ନହୋଇ ରହି ଯାଇଥିଲା। ଅନ୍ୟପଟେ ଗତ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ କହିଥିଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନୂଆ ଜିଲ୍ଲା ଗଠନ ପାଇଁ ଦାବି ଆସିଛି।

ନୂଆ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବିଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାର ପଦ୍ମପୁର, ଗଞ୍ଜାମ ଜିଲ୍ଲାର ଘୁମୁସର, ଋଷିକୁଲ୍ୟା(ଆସିକା), ବ୍ରହ୍ମପୁର ଓ ଭଞ୍ଜନଗର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼, ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର ଓ ଖିଚିଂ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓ ରାଉରକେଲା, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଓ କଣ୍ଟାବାଞ୍ଜି, ଅନୁଗୁଳ ଜିଲ୍ଲାର ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, କଟକ ଜିଲ୍ଲାରୁ ଆଠଗଡ଼ ଓ ଚଣ୍ଡିଖୋଲ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ସୋରୋ ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁରକୁ ନୂଆ ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବିପତ୍ର ରାଜସ୍ୱ ବିଭାଗକୁ ମିଳିଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଓଡ଼ିଶା ରାଜସ୍ୱ ପ୍ରଶାସନ(ୟୁନିଟ) ଆକ୍ଟ-୧୯୬୩ ଓ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଆସିଥିବା ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ।

ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟରେ ଜିଲ୍ଲା ପୁନର୍ଗଠନ କରିବା ରାଜ୍ୟ ସରକାରଙ୍କ ପାଇଁ ଏବେ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନବେଳେ ପଦ୍ମପୁରକୁ ରାଜ୍ୟର ୩୧ତମ ଜିଲ୍ଲା ମାନ୍ୟତା ୨୦୨୩ ଡିସେମ୍ବର ସୁଦ୍ଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ କ୍ୟାବିନେଟରେ ମଧ୍ୟ ପ୍ରସ୍ତାବ ପାରିତ କରାଇଥିଲେ । ଆଉ ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିଯିବ। ବର୍ଷ ସରିବାକୁ ଆଉ ମାସେ ଥିବାରୁ ଏନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଲାଣି। ୧୯୯୩ ମସିହା ୧୩ରୁ ଓଡିଶାରେ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି ପାଇବା ଦିନରୁ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଛି। ଏଭଳି ସ୍ଥିତି ମୁଖ୍ୟମନ୍ତ୍ରୀ ଆଗକୁ ତାଙ୍କ ପ୍ରତିଶୃତି ପୁରଣ କରୁଛନ୍ତି ନା ନାହିଁ, ଆଉ ଯଦି କରୁଛନ୍ତି କେବଳ ପଦ୍ମପୁରକୁ ଜିଲ୍ଲା ଘୋଷଣା କରୁଛନ୍ତି ନା ଆଉ କିଛି ନୂଆ ଜିଲ୍ଲା ଘୋଷଣା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।

Related Posts