ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଆଜି ଜାମିନ ରେ ଜେଲରୁ ବାହାରିଛନ୍ତି । ସକାଳୁ ଅର୍ଚ୍ଚନାଙ୍କୁ ନେବା ପାଇଁ ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଯାଇଥିଲେ । ଜେଲରୁ ବାହାରିବା ସମୟରେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ମୁଁ କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବି ଏବଂ କୋର୍ଟଙ୍କ ଉପରେ ମୋର ଭରସା ଅଛି ।ଏହା ସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି’।
ରାଜଧାନୀର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକିଆଣୀ ସାଜିଥିଲେ । ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର। ଏଭଳି ଅଭିଯୋଗ ଆସିବା ପରେ ଘଟଣାର ଖୋଳତାଡ ଆମ୍ଭ କରିଥିଲା କମିଶନରେଟ୍ ପୋଲିସ । ଏହାପରେ ଇଡି ନେଇଥିଲା ତଦନ୍ତ ଭାର ।
ନିଜ ସମ୍ପତ୍ତିର ହିସାବ ଦେଇ ନପାରିବାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିଳାଶପୂର୍ଣ୍ଣ କୋଠା କୁ ଜବତ କରିଥିଲା ଇଡି । ଏହାସହ ମାମଲାରେ ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବରକୁ ମଧ୍ୟ ବାନ୍ଧିଥିଲା ପୋଲିସ । ତିନି ଜଣ ଝାରପଡା ଜେଲରେ ଥିବାବେଳେ, କିଛି ଦିନ ପୂର୍ବେ ସ୍ବାମୀ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା ଏହାପରେ ଜେଲରୁ ମୁକୁଳିଥିଲେ ଜଗବନ୍ଧୁ । ଇଡି ମାମଲାରେ ହାଇକୋର୍ଟରୁ ବେଲ୍ ମିଳିବାର ୭ ଦିନ ପରେ ଆଜି ସକାଳୁ ଝାରପଡା ଜେଲରୁ ୧୪ ମାସ ପରେ ମୁକୁଳିଛନ୍ତି ଅର୍ଚ୍ଚନା ନାଗ ।





