ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜଙ୍ଗଲ ଭିତରେ ପରିତ୍ୟକ୍ତ ବୋରୱେଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରିତ୍ୟକ୍ତ ବୋରୱେ ଭିତରୁ ନବଜାତ ଶିଶୁର କ୍ରନ୍ଦନ ଶୁଭୁଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ଆଜି ଅପରାହ୍ଣରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଜି ଅପରାହ୍ଣରେ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ବୋରୱେରୁ ଏକ ଶିଶୁର କ୍ରନ୍ଦନ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ଲୋକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ସୂଚନା ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା।
ସୂଚନା ପାଇ ଅଗ୍ନିଶମବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି ସ୍ଥାନୀୟ ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ତହସିଲଦାର ଓ ରେଙ୍ଗାଲି ଥାନା ଆଇଆଇସି ସୁଦର୍ଶନ ପଣ୍ଡାଙ୍କ ନେତୃତ୍ବରେ ପୁଲିସ ଟିମ୍ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ରିପୋର୍ଟ ଳେଖାଯିବା ବେଳକୁ ପରିତ୍ୟକ ବୋରୱେରୁ ଶିଶୁର କ୍ରନ୍ଦନ ଶୁଭୁଛି। ଘଟଣାସ୍ଥଳରେ ଏକ ଜେସିବି ପହଞ୍ଚି ଖୋଳିବା କାର୍ଯ୍ୟ ଆରମ୍ଭ କରିଦେଇଛି। କେହି ଜଣେ ଲୋକ ଶିଶୁକୁ ପରିତ୍ୟକ୍ତ ନଳକୂପରେ ଫିଙ୍ଗିଦେଇ ଚାଲିଯାଇଛି। ତେବେ ଶିଶୁକୁ ଉଦ୍ଧାର କରାଯାଇ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହୁଛି।





