ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ୨୦୧୯ ସହିତ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହା କାର୍ଯ୍ୟକାରୀ ହେବାର ରହିଛି ସମ୍ଭାବନା। ଏନେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ ମଙ୍ଗଳବାର ଦିନ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି।
ତେବେ ଏନେଇ ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ପଡୋଶୀ ଦେଶରୁ ଆସୁଥିବା ପ୍ରବାସୀଙ୍କୁ କେବଳ ପୋର୍ଟାଲରେ ଅନଲାଇନ ଆବେଦନ କରିବାକୁ ପଡିବ ଏବଂ ଗୃହ ମନ୍ତ୍ରଣାଳୟ ଏହାକୁ ଯାଞ୍ଚ କରିବା ପରେ ନାଗରିକତା ପ୍ରଦାନ କରିବ । ନାଗରିକତା ଦେବାର ଅଧିକାର ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ପାଖରେ ରହିଥିବା ସୂଚନା।
କ’ଣ ଏହି ସିଏଏ?
ସିଏଏ ଆଇନ୍ ଅନୁସାରେ, ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଦେଶକୁ ଆସିଥିବା ୬ ଜଣ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଓ ପାର୍ସୀ)ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଏହି ୩ ଦେଶର ବିସ୍ଥାପିତ ଲୋକଙ୍କୁ କୌଣସି ଦସ୍ତାବିଜ୍ ଦେବାକୁ ପଡ଼ିବ ନାହିଁ।
ଡିସେମ୍ବର ୨୦୧୯ରେ ସଂସଦରେ ଏହି ବିଲକୁ ଅନୁମୋଦନ ମିଳିଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ହୋଇଥିଲା। ସିଏଏକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଥିଲେ। ସେତେବେଳେ କେନ୍ଦ୍ର ସରକାର ଏହାକୁ କାର୍ୟ୍ୟକାରୀ କରିବାକୁ ମନ ସ୍ଥିର କରିଥିଲେ ମଧ୍ୟ କରୋନା କାରଣରୁ ଏହା ବିଳମ୍ବିତ ହୋଇଥିଲା।





