ଓଡିଶା ଆସିଲେ ନୂଆ ପ୍ରଭାରୀ, ଟାର୍ଗେଟ ବଦଳାଇଲା କଂଗ୍ରେସ; ଏଥର ନବୀନ ନୁହଁ ପାଣ୍ଡିଆନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): 2024 ନିର୍ବାଚନ ଆଉ ଅଳ୍ପ କେଇଦିନ ବାକି ଥିବାବେଳେ ଏବେ କଂଗ୍ରେସ ରାଜ୍ୟରେ ନିଜର ପ୍ରଭାରୀ ବଦଳାଇଛି | ଆଉ ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଆଜି ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ଅଜୟ କୁମାର | ଆଉ ଅଜୟ କୁମାର ଓଡ଼ିଶାରେ ପହଂଚି ନିଜ ପ୍ରଥମ ପ୍ରତିକ୍ରିୟାରେ ନାଁ ନନେଇ ଓଡ଼ିଆ, ଅଣଓଡ଼ିଆ ଆଳରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି | ଏଥିସହିତ ଆଗାମୀ ନିର୍ବାଚନରେ ଆଉ ନବୀନ ପଟ୍ଟନାୟକ ନୁହଁ ବରଂ ପାଣ୍ଡିଆନ ହିଁ କଂଗ୍ରେସର ଟାର୍ଗେଟ ବୋଲି ଅଜୟ କୁମାର ଏକପ୍ରକାର ସୂଚନା ଦେଇଛନ୍ତି |

ନିଜ ମନ୍ତବ୍ୟରେ ଅଜୟ କୁମାର, ଓଡିଶା ଓଡ଼ିଆଙ୍କର ବୋଲି କହିଥିବା ବେଳେ ଏଠାରେ ଅଣଓଡିଆଙ୍କ ରାଜୁତି ଆଉ ଚାଲିବ ନାହିଁ ବୋଲି କହିଛନ୍ତି | ତେବେ ନିଜ ମନ୍ତବ୍ୟରେ ସେ କେଉଁ ବର୍ଗର ଅଣଓଡ଼ିଆଙ୍କୁ ଟାର୍ଗେଟ କରିଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି | ଅଣଓଡ଼ିଆ ଠିକାଦାର, ଅଣଓଡ଼ିଆ ଅଫିସର ନା ଅଣଓଡ଼ିଆ ନେତା ତାହା ସ୍ପଷ୍ଟ କରି ନଥିବା ବେଳେ ଅଜୟଙ୍କ ଟାର୍ଗେଟରେ ଯେ ପାଣ୍ଡିଆନ ଥିଲେ ଏକଥା କାହାକୁ ଅଛପା ନାହିଁ | ତେବେ 24 ବର୍ଷ ଶାସନ ମଧ୍ୟରେ ରାଜ୍ୟରେ କଂଗ୍ରେସକୁ ଏକ ଅଂକକୁ ନେଇ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ କିନ୍ତୁ ସେ କିଛି କହି ନାହାନ୍ତି | ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛି ଏବେ ଆଗକୁ କଂଗ୍ରେସ ଟାର୍ଗେଟରେ ନବୀନ ନୁହଁ ବରଂ ପାଣ୍ଡିଆନ ରହିବେ | ତେବେ ଦୀର୍ଘ 24 ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ଆସୁଥିବା କଂଗ୍ରେସ କର୍ମୀ, ଅଜୟ କୁମାରଙ୍କ ଏହି ଆହ୍ୱାନ କୁ କିଭଳି ଗ୍ରହଣ କରୁଛନ୍ତି ଓ ଏହା ଦ୍ୱାରା କଂଗ୍ରେସକୁ କେତେ ଫାଇଦା ମିଳୁଛି ତାହା ଦେଖିବାକୁ ବାକି ରହିଲା |

Related Posts