ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି କଡା ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ।
ସେ ଆହୁରି କହିଛନ୍ତି, ଏନ୍ସିଆର୍ବି ରିପୋର୍ଟରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଖରାପ। ମହିଳା ଅତ୍ୟାଚାର କ୍ଷେତ୍ରରେ ସବୁଠାରୁ ଖରାପ ୩ ରାଜ୍ୟ ଭିତରେ ଓଡ଼ିଶା ରହିଛି। ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସାହିତ ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ରୂପାନ୍ତରଣ ଚାଲିଛି ବୋଲି ସରକାର କହୁଛନ୍ତି | ବିରୋଧୀ ବିରୋଧ କଲେ ତାଙ୍କୁ ଅନ୍ଧ ବୋଲି କହୁଛନ୍ତି | ତେବେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ରାଜ୍ୟରେ ରୂପାନ୍ତରଣ ହୋଇଛି ନା ଛଳନା ହୋଇଛି ସେନେଇ ଏକ ବିତର୍କ ହେଉ | ବିତର୍କରେ ନିଜ ଗୁମାସ୍ତାଙ୍କୁ ନପଠାଇ ନିଜେ ମୁଖ୍ୟମନ୍ତ୍ରୀ ଆସନ୍ତୁ | ମୁଁ ଆମ ଦଳ ପକ୍ଷରୁ ବିତର୍କରେ ପ୍ରତିନିଧିତ୍ବ କରିବି ବୋଲି ଧର୍ମେନ୍ଦ୍ର ରଣହୁଙ୍କାର ଦେଇଛନ୍ତି |
ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଅନେକ ଯୁବତୀ ତାମିଲନାଡ଼ୁରେ କାମ କରୁଛନ୍ତି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ କେହି ବାହାରକୁ କାମ କରିବାକୁ ଯାଉନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଗନ୍ନାଥ ଧଣ୍ଡା ଛୁଇଁ କୁହନ୍ତୁ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଆହୁରି କହିଛନ୍ତି ବିଜେପିକୁ ମାତ୍ର ୫ ବର୍ଷ ଦିଆଗଲେ ଡବଲ ଇଞ୍ଜିନ ସରକାର ଜରିଆରେ ଓଡ଼ିଶାର ବ୍ୟାପକ ଉନ୍ନତି କରାଯିବ।





