ଭୁବନେଶ୍ଵର, ୧୪/୨ (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଲାଗି ଖୁସି ଖବର। ୨୦୨୪-୨୫ ଆର୍ଥିକ ବର୍ଷରେ କମିବ ବିଦ୍ୟୁତ୍‌ ଶୁଳ୍କ। ଲଗାତାର ଦୁଇ ବର୍ଷ ଧରି ଶୁଳ୍କ ଅପରିବର୍ତ୍ତିତ ରହିବା ପରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ବିଦ୍ୟୁତ୍‌ ଦର କମାଇଛନ୍ତି। ଘରୋଇ ବର୍ଗରେ ପ୍ରତି ସ୍ଲାବ୍‌ରେ ୧୦ ପଇସା ଲେଖାଏ ଟାରିଫ୍‌ ହ୍ରାସ କରାଯାଇଛି।

ଆଗରୁ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଉଥିଲା ନହେଲେ ଅପରିବର୍ତ୍ତିତ ରହୁଥିଲା। କେବଳ ସେତିକି ନୁହେଁ, ବିପିଏଲ୍‌ ପରିବାର ମାସିକ ୩୦ ୟୁନିଟ୍‌ ବ୍ୟବହାର କଲେ ୮୦ ଟଙ୍କା ଦେଉଥିଲେ। ଏବେ ତାହାକୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି। ଏହାଦ୍ବାରା ଘରୋଇ ଓ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଉପଭୋକ୍ତାମାନେ ଉପକୃତ ହେବେ। ଯେଉଁ ଉପଭୋକ୍ତା କାଗଜ ବିଲ୍‌ ବଦଳରେ ଇ-ବିଲ୍‌ ନେବାକୁ ଚାହିଲେ ସେମାନଙ୍କୁ ପ୍ରତି ବିଲ୍‌ ପିଛା ୧୦ ଟଙ୍କା ଲେଖାଏ ରିଆତି ଦିଆଯିବ। ସବୁଜ ଓ ସୌର ଶକ୍ତି ଉପରେ ଆୟୋଗ ଗୁରୁତ୍ବାରୋପ କରିଛନ୍ତି। ସବୁଜ ଶକ୍ତିର ପ୍ରିମିୟମକୁ ୨୫ ପଇସାରୁ ୨୦ ପଇସାକୁ ହ୍ରାସ କରିଛନ୍ତି। ଇଭି ଚାର୍ଜିଂ ପାଇଁ ପ୍ରତି ୟୁନିଟ୍‌ ପିଛା ୫ ଟଙ୍କା ୫୦ ପଇସା ଥିବା ବେଳେ ତାହାକୁ ୫ ଟଙ୍କାକୁ ହ୍ରାସ କରାଯାଇଛି। ସ୍ମାର୍ଟ ମିଟର ଲଗାଇଲେ ପୂର୍ବରୁ ୨% ରିବେଟ୍‌ ମିଳୁଥିବା ବେଳେ ଏବେ ୪% ଦେବାକୁ ଆୟୋଗ ଘୋଷଣା କରିଛନ୍ତି। ଡିଜିଟାଲ୍‌ ପେମେଣ୍ଟ କଲେ ପୂର୍ବରୁ ମିଳୁଥିବା ୪% ରିହାତି ବଳବତ୍ତର ରହିବ। ଯେହେତୁ ଓଡ଼ିଶାରେ ସୌର ଶକ୍ତିର ଚାହିଦା ବଢ଼ୁଛି ତେଣୁ ପ୍ରଥମ ଥର ପାଇଁ ‘ସୋଲାର ଆୱାର’ ଘୋଷଣା କରାଯାଇଛି। ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ‘ସୋଲାର ଆୱାର’ କରାଯାଇଥିବା ବେଳେ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ‘ନର୍ମାଲ ଆୱାର’, ସନ୍ଧ୍ୟା ୬ଟାରୁ ରାତି ୧୨ଟା ମଧ୍ୟରେ ‘ପିକ୍‌ ଆୱାର’ ଓ ରାତି ୧୨ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ‘ନର୍ମାଲ ଆୱାର’ ହୋଇଛି। ସେହି ଅନୁଯାୟୀ ଦର ଧାର୍ଯ୍ୟ ହୋଇଛି।

ନିର୍ବାଚନୀ ବର୍ଷ ହୋଇଥିବାରୁ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ‌ଶୀତଳଭଣ୍ଡାର ଗୁଡ଼ିକୁ ୟୁନିଟ୍‌ ପିଛା ୧ଟଙ୍କା ୬୦ ପଇସା ରିହାତି ଦିଆଯାଇଛି। ଏଥିରେ ଉଭୟ ବର୍ଗର ଉପଭୋକ୍ତା(ହାଇ ଟେନ୍‌ସନ୍‌/ଲୋ-ଟେନ୍‌ସନ୍‌) ଉପଭୋକ୍ତା ଉପକୃତ ହେବେ। ଏହାଦ୍ବାରା ଓଡ଼ିଶାର ପ୍ରାୟ ୫୦ ଲକ୍ଷ ଚାଷୀ ପରିବାର ଉପକୃତ ହୋଇପାରିବେ। ମେଗା ଲିଫ୍ଟ ପଏଣ୍ଟ ଉପଭୋକ୍ତାଙ୍କୁ ୟୁନିଟ୍‌ ପିଛା ୨ ଟଙ୍କା ଲେଖାଏ ରିହାତି ଦିଆଯାଇଛି। ଫଳରେ ସେମାନେ ପ୍ରତି ୟୁନିଟ୍‌ ପିଛା ୩.୮୦ ପଇସା ଇଏସ୍‌ଟିରେ ପାଇବେ। ‌ଗ୍ରାମାଞ୍ଚଳ ଉପଭୋକ୍ତାମାନଙ୍କୁ ମଧ୍ୟ ସୁବିଧା ପ୍ରଦାନ କରାଯାଇଛି। ଠିକ୍‌ ସମୟରେ ବିଦ୍ୟୁତ୍‌ ବିଲ୍‌ ପଇଠ କଲେ ଗ୍ରାମାଞ୍ଚଳ ଗ୍ରାହକ ୟୁନିଟ୍‌ ପିଛା ଅଧିକ ୧୦ ପଇସା ରିହାତି ପାଇବେ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ମଧ୍ୟ ଟାରିଫ୍‌ ହ୍ରାସ କରାଯାଇଛି। ୪୦%ରୁ ଅଧିକ ଲୋଡ ଫ୍ୟାକ୍ଟରରେ ବିଦ୍ୟୁତ୍‌ ବ୍ୟବହାର କଲେ ଲୋ-ଟେନ୍‌ସନ୍‌(ଏଲ୍‌ଟି) ଉପଭୋକ୍ତାଙ୍କୁ ୟୁନିଟ୍‌ ପିଛା ୧୦ ପଇସା ରିହାତି ମିଳିବ। ଷ୍ଟିଲ୍‌ ପ୍ଲାଣ୍ଟଙ୍କ ପାଇଁ କଣ୍ଟ୍ରାକ୍ଟ ଡିମାଣ୍ଡ(ସିଡି) ୧ ଏମ୍‌ଭିଏ(ମେଗା ଭୋଲ୍ଟ ଆମ୍ପିୟର)ରୁ ୬ ଏମ୍‌ଭିଏ ଭିତରେ ରହିଲେ ରିହାତି ମିଳୁଥିଲା। ଏଣିକି ଆଲୁମିନିୟମ୍‌ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ସେହି ରିହାତି ଉପଲବ୍ଧ ହେବ।

ଅନ୍ୟପକ୍ଷରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍‌ (ଓଏଚ୍‌ପିସି)ର ୟୁନିଟ୍‌ ପିଛା ଶୁଳ୍କ ୯୩.୪୯ ପଇସାରୁ ୯୩.୬୭ ପଇସାକୁ ବୃଦ୍ଧି କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଗ୍ରିଡ୍‌କୋ ୩୭ ହଜାର ୫୪୦ ନିୟୁତ ୟୁନିଟ୍‌ କିଣିବ ଏବଂ ଆବଣ୍ଟନ କମ୍ପାନିମାନଙ୍କୁ ୩୦ହଜାର ୭୯୫ ନିୟୁତ ୟୁନିଟ୍‌ ବିକ୍ରି କରିବ। ଟିପିସିଓଡିଏଲ୍‌କୁ ୟୁନିଟ୍‌ ପିଛା ୩୧୫ ପଇସାରେ ବିକ୍ରି କରିବାକୁ ଥିବା ବେଳେ ଟିପିଏନ୍‌ଓଡିଏଲ୍‌କୁ ୩୫୦, ଟିପିଡବ୍ଲୁଓଡିଏଲ୍‌କୁ ୩୮୦ ଓ ପିଟିଏସ୍‌ଓଡିଏଲ୍‌କୁ ୨୦୦ ପଇସାରେ ବିକ୍ରୟ କରିବ। ହାରାହାରି ବିଏସ୍‌ପି ୟୁନିଟ୍ ପିଛା ୩୨୯ ପଇସାରୁ ୩୨୮.୨୦ ପଇସାକୁ ହ୍ରାସ ପାଇଛି। ଓପିଟିସିଏଲ୍‌ର ଟ୍ରାନ୍ସମିସନ୍ ଚାର୍ଜ ୟୁନିଟ୍ ପିଛା ୨୪ ପଇସାରେ ଅପରିବର୍ତ୍ତିତ ରହିଛି। ବିଦ୍ୟୁତ୍‌ କ୍ରୟ ୟୁନିଟ୍‌ ପିଛା‌ ୩ଟଙ୍କା ୧୦ ପଇସାରୁ ୩ଟଙ୍କା ୨୦ ପଇସାକୁ ବୃଦ୍ଧି କରାଯାଇଛି।

ଓଡ଼ିଶାରେ ବହୁ ପରିମାଣରେ ବିଦ୍ୟୁତ୍‌ କ୍ଷତି ହେଉ ନାହିଁ। ଓଇଆରସି ୧୮.୭୯% ବିଦ୍ୟୁତ୍‌ କ୍ଷତି ଦର୍ଶାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮.୧୪% ରହିଥିଲା। ଏବେ ଅଧିକ କ୍ଷତି ହେଉ ନ ଥିବା ଆୟୋଗ ହୃଦ୍‌ବୋଧ କରିଛନ୍ତି। ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବାରୁ ଗ୍ରୀଷ୍ମ ସମୟରେ କୌଣସି ପ୍ରକାର ବିଦ୍ୟୁତ୍‌ ବିଭ୍ରାଟ ହେବ ନାହିଁ ବୋଲି ଆୟୋଗ ଆଶାବ୍ୟକ୍ତ କରିଛନ୍ତି। ଯଦି ହିସାବ ଦେଖାଯାଏ ତେବେ ଓଡ଼ିଶାରେ ବଳକା ବିଦ୍ୟୁତ୍‌ ଉତ୍ପାଦିତ ହେଉଥିବା ଆୟୋଗ କହିଛନ୍ତି। ଓଡ଼ିଆ ଭାଷାରେ ବିଦ୍ୟୁତ୍‌ ବିଲ୍‌ ନେଇ କମ୍ପାନିମାନେ ସଫ୍ଟୱେର ପରିବର୍ତ୍ତନ କରୁଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଓଡ଼ିଶାବାସୀଙ୍କୁ ସେବା ଯୋଗାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତରେ ଜାନୁଆରି ୩୦ରୁ ଫେବ୍ରୁଆରି ୬ ତାରିଖ ମଧ୍ୟରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ନିକଟରେ ଜନଶୁଣାଣି ହୋଇଥିଲା। ଏଥିରେ ଆବଣ୍ଟନ କମ୍ପାନିଙ୍କ ସମେତ ଗ୍ରିଡ୍‌କୋ, ଓଏଚ୍‌ପିସି, ଓପିଜିସି, ଓପିଟିସିଏଲ୍‌, ଏସ୍‌ଏଲ୍‌ଡିସି ସାମିଲ ହୋଇ ସେମାନଙ୍କ ଏଆରଆର ଓ ଟାରିଫ୍‌ ନେଇ ପ୍ରସ୍ତାବ ରଖିଥିଲେ। ଆପତ୍ତିକର୍ତ୍ତାମାନେ ମଧ୍ୟ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନ କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିବା ସହ ହ୍ରାସ କରିବାକୁ ଦାବି ଜଣାଇଥିଲେ। ଫେବ୍ରୁଆରି ୭ରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ବସି ସମସ୍ତ ପକ୍ଷଙ୍କ ପ୍ରସ୍ତାବ ଉପରେ ବିଚାର କରାଯାଇ ରାୟ ପ୍ରକାଶ କରାଯାଇଛି।