ଆତଙ୍କବାଦୀଙ୍କ ମୁକାବିଲା କରିବ ଓଡ଼ିଶା ପୋଲିସ

ଭୁବନେଶ୍ବର: ଆତଙ୍କବାଦୀଙ୍କ ସହ ଲଢିବେ ଓଡ଼ିଶା ପୋଲିସ। ଆତଙ୍କବାଦୀଙ୍କର ମୁକାବିଲା କରିବା ବେଳେ ତୁରନ୍ତ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଏନେଇ ପୋଲିସ ଭବନରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଏବଂ ଏନଆଇଏ ଆଇଜି ଯୋଗ ଦେଇ ଓଡ଼ିଶା ପୁଲିସକୁ ତାଲିମ ଦେଇଛନ୍ତି।

ଆତଙ୍କବାଦୀ ମାନେ ସମୁଦ୍ରପଥ ଦେଇ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ସମୁଦ୍ର ଉପକୂଳ ଘେରା ଓଡ଼ିଶା ଉପରେ ଆକ୍ରମଣର ସମ୍ଭାବନା ରହିଛି। ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ଆତଙ୍କବାଦୀଙ୍କ ଲିଙ୍କ୍ ରହିଥିବା ଅପରାଧି ଗିରଫ ହୋଇଛନ୍ତି। କଟକର ଜଗତପୁର ଏବଂ ରାଉରକେଲାରୁ ଆତଙ୍କବାଦୀ ଲିଙ୍କ୍ ଥିବା ଅପରାଧୀ ଗିରଫ ହୋଇସାରିଛନ୍ତି। ଏହାକୁ ନଜରରେ ରଖି ଏନଆଇଏ ଡିଜି ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ମନ୍ତ୍ର ଦେଇଛନ୍ତି। ଯାହାଦ୍ବାରା ସାମ୍ଭବ୍ୟ ଆତଙ୍କବାଦୀ ଆକ୍ରମଣକୁ ଓଡ଼ିଶା ପୋଲିସ ସଫଳ ମୁକାବିଲା କରିପାରିବ । ଏହି ଅବସରରେ ନକ୍ସଲ ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ରୋକ ଲଗାଇବାକୁ ମଧ୍ୟ ଏନଆଇଏ ଡିଜି ପରାମର୍ଶ ଦେଇଛନ୍ତି। ପାଣ୍ଠି ଉପରେ ରୋକ୍ ଲଗାଇଲେ ଆତଙ୍କବାଦୀଙ୍କ ଶକ୍ତି ଦୁର୍ବଳ ହେବ ବୋଲି ଏନଆଇଏ ଡିଜି କହିଛନ୍ତି ।

Related Posts