କଥା ହୁଅନ୍ତୁ, କୃତଜ୍ଞ ରୁହନ୍ତୁ

ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ । ଏହାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ସହିଦନଗର ପୋଲିସ ଷ୍ଟେସନରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଥାନା ଆଉ ଡାକ୍ତରଖାନା ଯେ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ତାହା 19 ବର୍ଷ ପରେ ବୁଝିଛନ୍ତି ରାଜ୍ୟ ମୁଖିଆ । ଏଠାରେ ଲୋକଙ୍କୁ ଅଧିକ ଖରାପ ବ୍ୟବହାର କରାଯାଉଥିବା ବି ଅନୁଭବ କରିଛନ୍ତି । ଯେଉଁଥିପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉଦେଶ୍ୟ ଲୋକଙ୍କୁ ଭଲ ବ୍ୟବହାର କରିବା ଆଉ ତାଙ୍କ ଅସୁବିଧା ବୁଝିବା । ଥାନାକୁ ଆସୁଥିବା ଲୋକଙ୍କୁ ପୋଲିସ ବାବୁମାନେ କିଭଳି ବ୍ୟବହାର କରୁଛନ୍ତି ତାହା ଜାଣିବା । 19 ବର୍ଷର ବିଫଳତାକୁ ଲୁଚେଇବା ପାଇଁ ଆରମ୍ଭ ହୋଇଯାଇଛି ନାଟକବାଜି । ପ୍ରଥମେ 5T ତାପରେ ମନ୍ତ୍ରୀମାନଙ୍କ ଅଚାନକ ଗସ୍ତ ଏବେ ଫୋନରେ କଥା ହେବାର ବାହାନା । ଏହି ଟ୍ରେଣ୍ଡ୍‌ରେ ସାମିଲ ହୋଇଛନ୍ତି ଖୋଦ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଗତକାଲି 9 ଜଣ ଲୋକଙ୍କ ସହ ନବୀନ ଫୋନରେ କଥା ହେବାର ଭିଡିଓକୁ ଜାଣିଜାଣି ଭାଇରାଲ କରାଯାଇଛି । ନେତା ମନ୍ତ୍ରୀ, ସଚିବ ଓ ସରକାରୀ ବାବୁମାନଙ୍କ ମୁଁହରେ କେବଳ ଗୋଟିଏ କଥା ମୁଖ୍ୟମନ୍ତ୍ରୀ ଫୋନରେ କଥା ହେଲେ । ଯେମିତି ଫୋନରେ କଥା ହୋଇ ନିହାଲ କରିଦେଲେ । ଏହାକୁ ଏଭଳି ପ୍ରଚାର କରାଯାଉଛି ଯେପରି ଲାଗୁଛି 19 ବର୍ଷ ଧରି କେବେ ଏମାନେ କାହା ସହ କଥା ହୋଇନଥିଲେ । ଲୋକଙ୍କ କଥା ବୁଝୁ ନଥିଲେ । ନବୀନଙ୍କ ଫୋନ ବାର୍ତ୍ତାଳପକୁ ନେଇ ଏବେ ଅନେକ ପ୍ରଶ୍ନ ।

ତେବେ ଏଭଳି ନାଟକ କାହିଁକି ?

19 ବର୍ଷ ଧରି ଓଡ଼ିଆରେ କଥା କହିପାରୁନଥିବା ମୁଖିଆ କ’ଣ ସତରେ କଥା ହୋଇଛନ୍ତି ?

ଯଦି କଥା ହେଲେ ଲେକେ ଯାହା କହିଲେ କ’ଣ ମୁଖ୍ୟମନ୍ତ୍ରୀ ତାହା ବୁଝିପାରିଛନ୍ତି ?

ନା ଭାବମୂର୍ତ୍ତି ସୁଧାରିବାର ଏହା ଏକ ନୂଆ ତରିକା ?

ପ୍ରକୃତରେ କ’ଣ ନବୀନ ଲୋକଙ୍କ ସହ କଥା ହୋଇଛନ୍ତି ?

ନା ଲୋକଙ୍କ ସହ କଥା ହେବାର ଭିଡିଓ କରି ଏକ ନାଟକ କରାଯାଉଛି ?

ଏକପାଖିଆ ଭିଡିଓ କରି ଲୋକଙ୍କୁ ଭୁଆଁବୁଲାଇବାକୁ ଚେଷ୍ଟା କରାଯାଉନି ତ ?

କାରଣ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଭିଡିଓରେ ରାଇଜ ମୁଖିଆ ଏମିତି କିଛି ଶବ୍ଦ କହୁଛନ୍ତି ଯାହାକୁ ନେଇ ସନ୍ଦେହ ହେଉଛି ।  ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି । ଆଛା…ଆପଣ ଭବାନୀପାଟଣା ପୋଲିସ ଷ୍ଟେସନ ଜାଇଥିଲେ ତି ? ମାଆ ଆପଣ ବନ୍ଧନଗର ପୋଲିସ ଷ୍ଟେସନ ଜାଇଥିଲେ କି ? ଭଲ… ବହୁତ ଧନ୍ୟବାଦ । ଏହି ଭିଡିଓକୁ ପୁଣି 6 ଥର ଏଡିଟ୍ କରାଯାଇଛି ।

ସତ୍ୟପାଠ ଜରିଆରେ ଏ ପ୍ରଶ୍ନ ଏଇଥିପାଇଁ ଉଠାଯାଉଛି କାରଣ ଭିଡିଓରେ ନବୀନ ଯାହା ସହ କଥା ହେଉଛନ୍ତି ସେ ଲୋକଙ୍କର ଭିଡିଓ କିମ୍ବା ଅଡିଓ ନାହିଁ । ଯାହା ବି ଅଛି ତାହା ସମ୍ପୁର୍ଣ୍ଣ ଏଡିଟ୍ ହୋଇଥିବା ଭିଡିଓ । ଲାଗୁଛି ସଭାସମତିରେ ଯେଭଳି ସ୍କ୍ରିପ୍ଟ ଦେଖି ନବୀନ ଦୁଇ ପଦ ଓଡ଼ିଆ କୁହନ୍ତି ସେହିଭଳି ତାଙ୍କ ପାଟିରୁ ଦୁଇ ପଦ ଓଡ଼ିଆ ବାକ୍ୟ ବାହାର କରାଯାଇଛି । ଏହା ପରେ ଗଣମାଧ୍ୟମ ଆଗରେ ଆସି ନବୀନ ସମସ୍ତଙ୍କ ସହ କଥା ପୁରା ସନ୍ତୁଷ୍ଟ ବୋଲି କହିଲେ । ଯଦି ନବୀନ ଲୋକଙ୍କ ସହ କଥା ହୋଇଛନ୍ତି ଆଉ ସମସ୍ୟା ବୁଝିଛନ୍ତି ତେବେ ଯାହା ସହ କଥା ହେଲେ ତାଙ୍କ ନାଁ କାହିଁକି କୁହାଗଲା ନାହିଁ ? ସେମାନେ ମୁଖିଆଙ୍କ ସହ କ’ଣ କଥା ହେଲେ ତାହା ଜଣାଗଲା ନାହିଁ  କାହିଁକି ? ନବୀନଙ୍କ କଥା ହେବା ଘଟଣାକୁ ଏଭଳି ଭାବେ ପ୍ରଚାର କରାଯାଉଛି ଯେଭଳି ସେ 19 ବର୍ଷ ଧରି କେବେ କାହା ସହ ଫୋନରେ କଥା ହୋଇନଥିଲେ ।

ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୁଚେଇବାକୁ ଏଭଳି କରାଯାଉନି ତ ?

ଏବେ କାମ ବନ୍ଦ କରି କେବଳ ବାବୁମାନେ କ’ଣ ଲୋକଙ୍କ ସହ ଫୋନରେ କଥା ହେବେ ?

ଏପ୍ରସଙ୍ଗରେ କିଛି ଲୋକଙ୍କ ସହ ଆଲୋଚନା ବେଳେ ସେମାନଙ୍କର କିଛି ଏଭଳି ପ୍ରତିକ୍ରିୟା ଥିଲା । ସେମାନଙ୍କ କହିବା କଥା ନବୀନ ଫୋନରେ କଥା ହେଲାଇ କ’ଣ ନିହାଲ କରିଦେଲେ  ।

Related Posts